Rasalasa Re Rasi Puni

ରସାଳସା ରେ ରସି ପୁଣି
(Kabisurjya— Raga Bhairabi, Tala Jati)
(କବିସୂର୍ଯ୍ୟ— ରାଗ ଭୈରବୀ, ତାଳ ଯତି)

Ra Patala — Kisorachandrananda Champu
ର ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ରସାଳସା ରେ
ରସି ପୁଣି ଏକି ଲୋକହସା ରେ । ଘୋଷା ।
ରକ୍ତିମା ଚୁମ୍ବିଲା ଇନ୍ଦ୍ର ଆଶାରେ
ରାଜୀବେ ପ୍ରଫୁଲ୍ଲ ହେଲେ କାସାରେ । ୧ ।
ରତିନାଥ ସମର ପ୍ରଶଂସାରେ
ରମଣୀ କେ ନ ରସନ୍ତି ସଂସାରେ । ୨ ।
ରସିକେ ରସନ୍ତି ସିନା ନିଶାରେ
ରଜନୀ ଶେଷରେ ଏ କି ଦଶା ରେ । ୩ ।
ରହୁନା ଅଯଶ ଆଉ ରସାରେ
ରସାରୁହରୁ ଲତାକୁ ଖସା ରେ । ୪ ।
ରମଣୀୟ ହେମକୁ ସୁଦୃଶା ରେ
ରଖିଲୁ କେଡ଼େ ନିବିଡ଼େ ମସାରେ । ୫ ।
ରାଜା ଅଷ୍ଟଦୁର୍ଗର ଏ ଭାଷା ରେ
ରଚେ ବିଜେ ଏବେ ହେଉ ସୁସାରେ । ୬ ।