(କବିସୂର୍ଯ୍ୟ— ରାଗ ପୂରବୀ)
ରସନିଧି ଭଲା ଆଚରିଲା ମୋହପରି ବିଧି ରେ । ଘୋଷା ।
କିଙ୍କିଣୀ ତାଳକୁ ରଚୁଥିଲା
ଝୁଲି ଝୁଲି ନଥ ନାଚୁଥିଲା
ନେତ୍ର ପୁଣ୍ୟଫଳ ପାଚୁଥିଲା
ମୋତେ ବ୍ରହ୍ମପଦ ସୁଖ ଯାଚୁଥିଲା । ୧ ।
ଅଧୋମୁଖେ ରତ୍ନସାନୁ ଥିଲା
ତା ନିକଟେ ସୁଧାଭାନୁ ଥିଲା
ତହିଁ ତିଳଫୁଲ ତଳେ ଝଲମଲ
ବୁଲାକି ଝୁଲା କି ମାନୁଥିଲା । ୨ ।
ଆନେ ତା ଚାକିର ଲବ କାହିଁ
ବିବେକ ବାକି ରହିଲା ନାହିଁ
ବିନ୍ଦୁ ବିନ୍ଦୁ ଝାଳ ସୁନ୍ଦର କପୋଳ
ମୁକୁରେ ମକରୀ ଲୀଳା ଚାହିଁ । ୩ ।
ବନ୍ଧୁ ମୋ କି ଲାଜ ଭଜୁଥିଲା
ଥରେ ଥରେ ନେତ୍ର ବୁଜୁଥିଲା
ଥରେ ଥରେ ଚାହିଁଦେଇ ଇନ୍ଦୀବରେ
ମଦନ ଦେବକୁ ପୂଜୁଥିଲା । ୪ ।
ନୀଳ କୁଞ୍ଚିତ କୁନ୍ତଳତତି
ଭଜୁଥିଲା ଅସ୍ତବ୍ୟସ୍ତ ଭୀତି
ମିଶୁଥିଲା ଗଭା କ୍ରମରେ ଖସିବା
କୁସୁମ ରସନିଧି ଭଲା ଆଚରିଲା ଧୃତି । ୫ ।