(କବିସୂର୍ଯ୍ୟ— ରାଗ ସୁରଠ, ତାଳ ଏକତାଳି)
ରତାନ୍ତରେ ନତାନ୍ତରେ
ହେଲେ କେଡ଼େ ଅଳି ଲୋଳ ଗୋ । ଘୋଷା ।
ଶିଥିଳ କବରୀ ବାନ୍ଧୁ ବାନ୍ଧୁ
ତରତରେ ଶାଢ଼ୀ ପିନ୍ଧୁ ପିନ୍ଧୁ
କୋଟି ରାଣ ବୋଲି ପ୍ରାଣବନ୍ଧୁ ଭିଡ଼ି
କଲେ କୋଳ ଗୋ । ୧ ।
ଇସି ମଲି ବୋଲି ବୋଲୁ ବୋଲୁ
କର ସରସିଜେ ପେଲୁ ପେଲୁ
ନଖ ଶିଖ ଖେଳ ସୁଖ କରାଇଲେ
ପରବଳ ଗୋ । ୨ ।
ବିବିଧ ବିନୟ କରୁ କରୁ
ଚରଣ ପଲ୍ଲବ ଧରୁ ଧରୁ
ଦନ୍ତକ୍ଷତ ପରିଚିତ କରିଦେଲେ
ଗଣ୍ଡସ୍ଥଳ ଗୋ । ୩ ।
ନ ପାରଇ ବୋଲି କହୁ କହୁ
ମୋ ଦେହ ବଞ୍ଚାଇ ରହୁ ରହୁ
କାମ ଅମଳରେ ଶ୍ୟାମ ହେଲେ ଅତି
ଅସମ୍ଭାଳ ଗୋ । ୪ ।
କହେ ଅଷ୍ଟଦୁର୍ଗ ଧରାନାହା
ଶୁଣି ସଖୀ ଜଣାଇଲେ ଏହା
ପ୍ରିୟସହି ତୋର ସେହି ମନୋରଥ
ଲତା ଫଳ ଗୋ । ୫ ।