(କବିସୂର୍ଯ୍ୟ— ରାଗ ରେଗୁପ୍ତ, ତାଳ ରୂପକ)
ରତି ମୂରତି ଶ୍ୟାମ ପ୍ରୀତିରେ
ନ ଜାଣୁ ପରା ପରମାଣୁ ମଧ୍ୟା ରେ । ଘୋଷା ।
ଗଣ୍ଡେ ଦୂରକୁ ଦିଶେ ମଞ୍ଜୁଳ
ଗଣ୍ଡେ କାହାର ତାମ୍ବୁଳ ବୋଳ
ମଣ୍ଡେ କି ଚିହ୍ନ ଦନ୍ତ ଦୂକୁଳ
ଦଣ୍ଡେ ବସି ଦେଲୁ କି ରସ ପରିଚିତି ରେ । ୧ ।
ନୀବି ନିବିଡ଼ତା ନାହିଁ କିଛି
ଲିଭି ଅଛି ମୃଗମଦ ମାଛି
ଜୀବିତେଶ ତୋହର ଶ୍ରୀବତ୍ସି
କି ବିହିଲେ ବଦ ମଦଦ୍ୱିରଦ ଗତି ରେ । ୨ ।
ମୁଁ ଟିକିଏ ହେଲେ ଶୁଣିଥାଏଁ
ଲୁଟିଗଲା କି ଲାଜ ଥୋକାଏ
ଲୁଟିବାରେ ମାର ପୁର ଯାଏ
ଫୁଟି ଝଡ଼ିଗଲା କି ସେଫାଳିକା ତତି ରେ । ୩ ।
ସୁଖ ଲୋଭରୁ ବନ୍ଧୁକାଧରା
ରଖ ବୋଲି ନାହୁଁ ଥରେ ପରା
ନଖ କ୍ଷତେ ହେଜା ତନୁ ପୂରା
ଅଖଣ୍ଡିତ କଲ କି କାମିତ ସନ୍ତତି ରେ । ୪ ।
କି ସାହସ କଲୁ ସତେ ଆଳି
ନିଶାଯାକ ଜାଗରେ ପ୍ରବଳି
କଷା ଦିଶୁଛି ନେତ୍ର ଯୁଗଳି
ହସା ଲାଗୁଛି ଆଜ ଅନାଇଁ ତୋ ଦ୍ୟୁତି ରେ । ୫ ।
ତୂଳି ତଳପ ବରଜି ଫୁଲ
ଧୂଳି ସମାଜ କି ଶେଯ କଲ
ଗୁଳି ବାଜିଲା ପରି ତ ଗଲ
ଲୁଳିଯାଇଛି ଅଳକ ମୋତି ସୀମନ୍ଥିରେ । ୬ ।
ଆସେଚନକ ଆଜ ଏ ଶୀରି
ବାସେ ଉତ୍ପଳ ମିଶା କସ୍ତୁରୀ
ନାଶେ ମାନସ ବ୍ୟଥା ବଲ୍ଲରୀ
ଭାଷେ ବସୁଦୁର୍ଗ ଧରାବଳୟ ପତି ରେ । ୭ ।