(କବିସୂର୍ଯ୍ୟ— ରାଗ ଭାଟିଆରୀ, ତାଳ ତ୍ରିପଟା)
ରେ ମୋ ଜୀବନ
ମୁଁ କି ମୀନ ମୀନନେତ୍ରା ତୁ ମୋ ଜୀବନ ରେ
ମୋର ମାନସ ବିହଗରାଜି ବନ । ଘୋଷା ।
ସାକରସାର ମଧୁର ଭାଷୀ
କାରକରକର କିରଣ ହାସୀ
ନାକରମଣୀ କି ଟାକର ମାରୁଛି
ତୋ କର ପଇଠଧରା ଦାସୀ ରେ । ୧ ।
କୁସୁମୋତ୍ସବ ବିଚ୍ଛେଦ ଯୁଗୁ
ଲାଗି ଡକାଇତ ଲାଗୁ ଲାଗୁ
ଲଳନା କଳନା ନ ପଡ଼ି କଳା ନା
-ଗବଲ୍ଲୀ ଗେଲେ ମାଗୁ ରେ । ୨ ।
ଛାମୁରେ ଛାଇ ନ ପଡ଼ୁ ବୋଲି
ଛଡ଼ା ହୋଇ ମୁଁ ଯେ ଛିଡ଼ା ହେଲି
ଛୁଇଁଲ ଯେ ବୋଲି ଛଇଳୀ ହସି ମୋ
ଛାତିକି ଉରଜେ ଦେଉ ପେଲି ରେ । ୩ ।
ତୁ କାହା ଦୁଃଖପାଶୋରା କି ରେ
ବୋଲି ମୁଁ ପଚାରେଁ ପ୍ରେମ ଗିରେ
ତୁମ୍ଭର ବୋଲିବା ଦମ୍ଭରେ ଦମ୍ଭୋଳି
କଚାଡ଼ୁ ମୋ ଦୁଃଖଗିରି ଶିରେ ରେ । ୪ ।
ମେଲାଣି ହେବି କି ଯେବେ ବୋଲେଁ
ମୁଁ କି ଜାଣଇ ମା ଭାଷି ଗେଲେ
ମୋ ପିନ୍ଧା ବାସ ଶେଷକୁ ଛନ୍ଦିଥାଉ
ଅଙ୍ଗୁଳି ଅସ୍ଫୁଟ ଚମ୍ପାଫୁଲେ ରେ । ୫ ।
ସ୍ମିତ ସୁଧା ବିନ୍ଦୁ ଝଡ଼ୁଥାଇ
ରତର ପ୍ରସଙ୍ଗ ବଢ଼ୁଥାଇ
ଚିତ୍ତେ ତୋ ଯହିଁ ଦଉଡ଼ୁଥାଇ ଚାରୁ
ଚାହାଣୀରୁ ଚିହ୍ନା ପଡ଼ୁଥାଇ ରେ । ୬ ।
ପ୍ରତି ପ୍ରବନ୍ଧେ ମଜ୍ଜାଇ ମଜ୍ଜା
ନିତି ହେଉଛୁ ବାସକସଜ୍ଜା
ଗୋଟିକି ଗୋଟୀଏ ରାଣ ଲଙ୍ଘି ନଖି
ବୋଲୁ ଯେ କାହିଁକି ଏଡ଼େ ଲଜ୍ଜା ରେ । ୭ ।
କ୍ଷଣକେ ମୋ ଦୋଷ ଦଶ କୋଟି
କ୍ଷମା ନ କଲେ ମୁଁ ସରିଲିଟି
ଅଖଦଡ଼ ଅବଧାନରୁ ଶ୍ରୀଅଙ୍ଗେ
ନଖଦନ୍ତ କ୍ଷତ କରଇଟି ରେ । ୮ ।
ଏ ସ୍ନେହ ପୀୟୂଷ ବରଷାରୁ
ଏହି ଅନୁରାଗ ଭରସାରୁ
କର ସାରସ ଲୋଚନା କବିରବି
ବଳାଇଛି ତୋତେ ଘରଷାରୁ ରେ । ୯ ।