(ଉପେନ୍ଦ୍ର ଭଞ୍ଜ— ରାଗ ମୋହନା, ତାଳ ତ୍ରିପଟା)
ରେ ରାମା ରହ ରହ ଯାଅ କହି
ରସ ଉଦୟା ସୁହୃଦୟା ମୋ ଠାରେ
ସୁଦୟା ଅଛି କି ନାହିଁ । ଘୋଷା ।
ରୁରୁ ଘଣ୍ଟ ନାଦ ବଶ ହେଲା ପ୍ରାୟେ
ଝୁଣ୍ଟିଆ ଧନିକି ମୁହିଁ
ରଙ୍କ ରତନ ପାଇଲା ପରି ପ୍ରତେ
ଗଲେ ତୁ ହସିଲା ହୋଇ । ୧ ।
ରହେ ବସି ଝୁରେ କୁରରୀ ପରାୟେ
ଯେଉଁ ଦିନା ଦେଖା ନୋହି
ରଖିଛି ହିଂସାଦଶାକୁ ଚାହିଁ କାମ
ଦହିଲା ଉପରେ ଦହି । ୨ ।
ରୁଦ୍ର ଯୋଗ ଭଙ୍ଗ ମୋ ଧୈର୍ଯ୍ୟ କେତେ କେ
ରହିବ ତୋ ଶୋଭା ଚାହିଁ
ରାହୁ ପ୍ରାୟ ପଛେ ହେଲେ ହେବି ଲୋଭ
ଛାଡ଼ି ତ ପାରିବି ନାହିଁ । ୩ ।
ରୁଭୁକ୍ଷା ସମ୍ପତ୍ତି ଯାଚିଦେଇ ପାରୁ
ରବି ନେତ୍ର ଭଙ୍ଗୀ ତୁହି
ରସେ ଭାଷେ ଉପଇନ୍ଦ୍ର କେଉଁ ଯୁବା
ବାଳାରେ ଏ ଚାଟୁ କହି । ୪ ।