(କବିସୂର୍ଯ୍ୟ— ରାଗ କାମୋଦୀ, ତାଳ ଆଦିତାଳ)
ରୁଷା ବରଜ ମୃଦୁକୃଶାଙ୍ଗୀ
ଶିଶୁମୃଗଦୃଶାଟି ବିଚକିଳହସାଟି ରେ ।
ଭସାଇ ନ ଦିଅ ସରସାପ୍ରବର
ଅଭରସାଜଳେ ମୋ ଶୁଭଦଶାଟି ରେ । ଘୋଷା ।
ପରାଭବରୁ ମୋତେ ଖରାବ ନ କର ରେ
ତରାବରମୁଖୀ ମୁଁ ତୋ ଶାଟୀରେ
ଧରାମାଣିକ୍ୟମଣିଝରା ମଦନ କରେ
ମରାଇ ହେବୁ ଲୋକହସାଟି ରେ । ୧ ।
କ୍ଷମାଜଳଧି ଭିଡ଼ି ଜମାଇ ଊରଜ
ଭରମାଚଳରେ ନିଅ ନିଶାଟି ରେ
ଗୁମାନକୁ ନୁହଇଁ ସମାନ ମୁଁ ତୋହର
ତମାଳକିଶଳୟକେଶାଟି ରେ । ୨ ।
ମନା ନ କର ସୁନୟନା ସଦୟ ରସ
ଅନାଉଣିକି ବରଯୋଷାଟି ରେ
ଅନାଅ ପରି ଦୀନମନା ହେଉଛି ଧନ
ଅନାଇ ନତମୁଖ ବସାଟି ରେ । ୩ ।
ଅକାରଣେ ସଦ୍ୟୁତି ଚକା ଲପନ ପୋତି
ନ କାନ୍ଦ ବସୁମତୀଭୂଷାଟି ରେ
ଜକାଜକି ଚୁମ୍ବନ ସକାମେ ରଚି ଧନ
ପକାଅ ହରି ମୋର ତୃଷାଟି ରେ । ୪ ।
ରସାଅ ରସରେ ତ ରସା ହେଉଛି
ମଧୁରସା ସଦୃଶ୍ୟ ରସ କଷାଟି ରେ
ରସାତିଳକ ହରିଚନ୍ଦନ ଦେବ ଗୋରୀ
ତୋ ଚରଣ ଶରଣପଶାଟି ରେ । ୫ ।