(କବିସୂର୍ଯ୍ୟ— ରାଗ ଭୈରବ)
ଶାଢ଼ୀ କାହିଁ ଦେବ ଦେବଟି ହେ
ସଙ୍କୋଚେ ମୋର ପ୍ରାଣ ଯିବଟି ହେ
ସୁନ୍ଦର ହେ ମଲି ଏ ବଡ଼ ଛଇଳି
ଛାଉଲିରେ ଜାତି ନେବଟି ହେ । ଘୋଷା ।
ସାକ୍ଷାତ ଦେଖିଲେ ହେଲେ ଲୋଚନେ
ସମସ୍ତଙ୍କୁ ଜଟି ହୁଏ ବଚନେ
ସାଧିଅଛ ଏ କି ସର୍ବଜ୍ଞ ଦେବୀ କି
ଏହାକୁ ପାରିବ କେ ବଟି ହେ । ୧ ।
ସହସ୍ର କୋଟି ସପତଟି ମୋର
ସତେ କାହିଁ ଛପାଇଛ ଅମ୍ବର
ସୁନା ପୁଅ ପରା ସଖୀ ଆଗେ ଧରା
ନ ପଡ଼ୁ ମୋତେ ରଖିବଟି ହେ । ୨ ।
ସୁଖସଙ୍ଗାଳି ହେ ଦୁଃଖପାଶୋରା
ସେ ବିଧିକି ନ ମଙ୍ଗିବାରୁ ପରା
ସଢ଼ାଉଛି ଲାଜ ଯନ୍ତ୍ରେ ନିଶି ଆଜ
ସବୁ ସେହିପରି ହେବଟି ହେ । ୩ ।
ସରୁକଟିରେ ପୀତଚେଳ ଭିଡ଼ି
ସୀମା ପାର କରିଅଛ ମୋ ଶାଢ଼ୀ
ସମର୍ପିତ ଜତ ସଙ୍କୋଚରେ ଲୀନ
ହେଲେ ଆପଣା ଲାଘବଟି ହେ । ୪ ।
ସଂସାରେ ନ ଥିବାର ତୁମ୍ଭ ସ୍ନେହ
ସୁରତ ସରିଲେ ସହାୟ ନୁହଁ
ସରୋଜାକ୍ଷିଜାତି କଦମ୍ବ ବ୍ରତତୀ
ମନ୍ଦିରେ ସପନ ଦେଖିବଟି ହେ । ୫ ।
ସମ୍ପାଦିଛ ସତେ କାହିଁ ଆପଣ
ସୀମନ୍ତିନୀକି ସଢ଼ାଇବା ଗୁଣ
ସ୍ମରୁଥିବ ଅନୁଦିନେ କବିଭାନୁ
ରାୟଗୁରୁ ବଳଦେବଟି ହେ । ୬ ।