(ଗୋପାଳକୃଷ୍ଣ— ରାଗ କାଫି, ତାଳ ଏକତାଳି)
ସହି ଅଣ୍ଟିଲା ନାହିଁ କି
ହେଲା ଉତ୍ତାରୁ ଏତେ ସରିକି ରେ । ଘୋଷା ।
ଯା ପ୍ରସଙ୍ଗରେ ନିଜ ଅଙ୍ଗ ପାଶୋରୁ
ଶ୍ରୀ ବୃନ୍ଦାରଣ୍ୟାଭିଷେକି
ଆଜ ଦିନଯାକ ମୁଖ ଦେଖି ନାହୁଁ
ମନେ ପଡ଼ିଲେ ନାହିଁ କି । ୧ ।
କଞ୍ଚୁଲୀ ହାର ଦୂର କରି ଯାହାକୁ
ହୃଦୟରେ ଧରି ଜାକି
ଲୋଟୁଛନ୍ତି ଏବେ ସେ ଅବନୀ ଶେଯେ
ରାଧେ ରାଧେ ବୋଲି ଡାକି । ୨ ।
ଯାର ଶିର ଛାଇ ପଡ଼ିଲେ ଚରଣେ
ପଳାଇ ଯାଉ ତେଣିକି
ଏବେ ଦାସୀ ପଛେ ବୁଲାଇଲୁ ରାଧେ
ପୋଛାଇ ନେତ୍ରୁ ପାଣିକି । ୩ ।
ଅଳି ବସିଥିଲା ତୋ ପଦ ଚିହ୍ନର
ଧୂଳିରେ ତାହା ବିଲୋକି
ବୋଳି ହୋଇ ଯାଉ ମୁଁ ହାତ ଧଇଲି
ଆଣି ଦେବି ବୋଲି ଡାକି । ୪ ।
ଗୋପାଳକୃଷ୍ଣ ଭାଷଇ ମଜ୍ଜିଥିବା
ମାନସ ଭାଜିଯାଇ କି
ପରମାଣ କରି କହୁଥିଲେ କେଣେ
ନ ଯିବି ବୋଲି କେଣିକି । ୫ ।