(ଗୋପାଳକୃଷ୍ଣ— ରାଗ କାଫି, ତାଳ ଯତି)
ସହିରେ ମୁହିଁ ବଡ଼ ଦୁଃଖିନୀ
କି କହିବି ମୋ ଅନ୍ତର କାହାଣୀ । ଘୋଷା ।
ଆଲୋକ ବିଶ୍ରୁତ ମାଧୁରୀ ଯାର
ଅନୁରତ ଚିତ୍ତ ସହିତା ପ୍ରତି ମୋର । ୧ ।
ନିରନ୍ତର ଘର ଗମ୍ଭୀରି କୋଣେ
ଆବଦ୍ଧ ହେଲି ସହି ଡରି ଗୁରୁଜନେ । ୨ ।
ପ୍ରବାସକୁ ଯାନ୍ତି ଲୋକେ ଯେପରି
ମୋ ପକ୍ଷେ ଦେହଳୀ ଦ୍ୱାର ସେପରି । ୩ ।
ଆଶା ଉତ୍କଣ୍ଠା ଯାହା ପାଇଁକି
କେତେ ବାଧା ବିଘ୍ନ ପଡ଼େ ତହିଁକି । ୪ ।
ଏଣେ ଗୁରୁଜନ ସର୍ବେ ବଇରୀ
ବିଡ଼ମ୍ବନା ଗ୍ରନ୍ଥା ମୁଁ କୁଳନାରୀ । ୫ ।
ଶୁଣି ସ୍ୱାମିନୀଙ୍କ କାତର ବାଣୀ
ବୋଧେ ଗୋପାଳକୃଷ୍ଣ ଯୋଡ଼ି ବେନି ପାଣି । ୬ ।