(କବିସୂର୍ଯ୍ୟ— ରାଗ ଚିନ୍ତାଭୈରବ, ତାଳ ଏକତାଳି)
ସଜନୀ ଆଜ ରଜନୀରେ ନଇଲେ ବ୍ରଜମୋହନ
ମନ କେହୁ ମୋହିଲା ରେ । ଘୋଷା ।
ମୋ ଦେହେ ଦେଇ କରକମଳ ବାରମ୍ବାର
ନିୟମ କରି କେତେ କହିଲା ରେ
କପଟ ମତି କରି ସାହସେ ସେ କିପରି
ଧରମ ତାକୁ ସହି ସହିଲା ରେ । ୧ ।
ଲଗାଇ ପ୍ରେମରସ ମଧୁ ଜନ୍ମାଇ ବିଷ
ନୟନୁ ଅଶ୍ରୁ ବରଷାଇଲା ରେ
ଭଜି ମୁଁ ନିଶା ଦିବା କି ଅପରାଧୁଁ ଅବା
ମୋ ଠାରେ ଅବଧାନ ନୋହିଲା ରେ । ୨ ।
ଭାଙ୍ଗି ରଖିଛି ପାନ କର୍ପୂର ଶ୍ରୀଚନ୍ଦନ
ଏବେ ତ ବେଶ ବାସି ହୋଇଲା ରେ
କାହା ସୁରତେ ମାତି ଆସି ହେଲା ପାହାନ୍ତି
କୁକ୍କୁଟ କୁଆ ରାବେ ରଟିଲା ରେ । ୩ ।
ଏ ପାପ କାମ ମୋତେ ଦଣ୍ଡ ଦେଲାଣି ଯେତେ
ପରାଣ ତୁଲେ ପିଣ୍ଡ ଦହିଲା ରେ
କବିମିହିର ଚିନ୍ତା ଆହା ବ୍ରଜବନିତା
କପାଳେ ବିହି ଏହା ଲିହିଲା ରେ । ୪ ।