(ବନମାଳୀ— ରାଗ ତୋଡ଼ିପରଜ, ତାଳ ଆଠତାଳି)
ସଜନୀ ଘେନ ମୋ ବିନତିକି ରେ
ମୋହନେ କହିବୁ ମାତ୍ର ଏତିକି ରେ । ଘୋଷା ।
ଶିକ୍ଷା ଦେଲା କେହୁ ଶିରୀପତିଙ୍କି
ଦୀକ୍ଷା କଲେ ସ୍ତିରୀମରା ରୀତିକି ରେ । ୧ ।
ଶ୍ରଦ୍ଧା କରି ସେ ଲାବଣ୍ୟ ମୂର୍ତ୍ତିଙ୍କି
ରାଧା ପରା ହରାଇଛି ଜାତିକି ରେ । ୨ ।
ପରବତ ଧର ନୀଳ ହାତୀଙ୍କି
ସାର କରି ଲଭେ ଅପଖ୍ୟାତିକି ରେ । ୩ ।
ବୋଲେ ବନମାଳୀ ସେ ଶ୍ରୀମତୀଙ୍କି
କୃଷ୍ଣ ବିନେ କାହିଁ ଅଛି ଗତି କି ରେ । ୪ ।