Sajani Mo Age Aau

ସଜନୀ ମୋ ଆଗେ ଆଉ
(Kisorachandra— Raga Kalyana, Tala Ekatali)
(କିଶୋରଚନ୍ଦ୍ର— ରାଗ କଲ୍ୟାଣ, ତାଳ ଏକତାଳି)

ସଜନୀ ମୋ ଆଗେ ଆଉ ଏ ଭାଷ ନ ଭାଷ । ଘୋଷା ।

ଥରେ ହେଲେ ସେହି ଧୂର୍ତ୍ତ ନାଗର ସନ୍ଦେଶ
ଜଣାଇବାକୁ ତ ନାହିଁ କାହାର ସାହସ । ୧ ।

ରାଧାର ହୃଦୟେ କ୍ରୋଧ ପ୍ରଚଣ୍ଡ ହୁତାଶ
ଶ୍ୟାମ ନାମ ଶ୍ରବଣରେ ଜଳଇ ବିଶେଷ । ୨ ।

ଛାଡ଼ିଲାଣି ସବୁ ରୂପେ ଜୀବନର ଆଶ
କେବଳ ଆମ୍ଭର ଯତ୍ନ ବିଫଳ ପ୍ରୟାସ । ୩ ।

ଅଛି ପୌର୍ଣ୍ଣମାସୀ ଠାରେ ତା ଭକ୍ତି ବିଶ୍ୱାସ
ସେହି ଗତି ଜବେ ତାଙ୍କୁ ସଙ୍ଗେ ଘେନି ଆସ । ୪ ।

ବୃନ୍ଦା ଯାଇ କହେ ସବୁ ପୌର୍ଣ୍ଣମାସୀ ପାଶ
ବନ୍ଦିଲେ ରାଜେନ୍ଦ୍ର କୃଷ୍ଣ ଶ୍ରୀପଦ ସାରସ । ୫ ।