(ଗୌରଚରଣ— ରାଗ ମତିଆରୀ, ତାଳ ଝୁଲା)
ସଖୀ ଆସ ଯିବା ଦେଖି
ନନ୍ଦପୁରେ ନୀଳମାଧବଙ୍କୁ ଦେଖି
ସୁଫଳ କରିବା ଆଖି ସଖୀ । ଘୋଷା ।
କେ ବୋଲେ ସଙ୍ଗାତ ଅତି ବିପରୀତ
ବଚନ ତୁମ୍ଭେ ତ କହ
ସାତଶ ପଞ୍ଚାଶ ବରଷରେ ନନ୍ଦ
ରାଜା ପାଇଛନ୍ତି ପୁଅ ସଖୀ । ୧ ।
କରେ ଅର୍ଘ୍ୟଥାଳି ଘେନି ଗୋପବାଳୀ
ନନ୍ଦମନ୍ଦିରକୁ ଚଳି
କାଳିଆ କାହ୍ନୁକୁ ବନ୍ଦାପନା କରି
ଉଚ୍ଚେ ଦେଲେ ହୁଳହୁଳି ସଖୀ
କେ ବୋଲଇ ଦେଖ
ଇନ୍ଦ୍ରଧନୁ ଜିଣି ଭ୍ରୂଲତାର ଠାଣି
କି ସୁନ୍ଦର ଚନ୍ଦ୍ରମୁଖ ସଖୀ । ୨ ।
କେ ବୋଲଇ କରୀବର ଶୁଣ୍ଢ ଜିଣି
ଆଜାନୁଲମ୍ବିତ ବାହୁ
ଚାହିଁଦେଲେ ଆଖି ରହୁଅଛି ଲାଖି
ମୂରୁଛି ନୁହଇ ଆଉ ସଖୀ
କଟି ମୃଗରାଜ
ଚରଣ ରଙ୍ଗକୁ ଡରିଣ ଅରୁଣ
ଶରଣ ଗଲା କି ଆଜ । ୩ ।
ସଖୀ କେ ବୋଲେ ରେ ବାମା ସଂସାର
ଉପମା ଏହାଠୁ ସୁଷମା ନାହିଁ
ଗୌର ଦ୍ୱିଜ ଭଣି ଶୁଣିଥା ମିତଣୀ
ତାହାଙ୍କୁ ଉପମା ସେହି ସଖୀ
ଶୁଣ ପ୍ରାଣସହୀ
ଗୋପ ନବ ବାଳୀ ଯେତେକ ଅଛନ୍ତି
ସବୁରି ସଙ୍ଖାଳି ସେହି ସଖୀ । ୪ ।