(ବନମାଳୀ— ଯତି)
ସଖୀ ବିଜେ କଦମ୍ବ ମୂଳେ ଗୋ
ଏ ନବ ଲାବଣ୍ୟରୂପ । ଘୋଷା ।
ଏକ ଦିନେ ସଖୀ ମୁଁ ରେ
ଗଲି ଯମୁନାକୁ ନୀରେ
ଗଭା କୁସୁମ ଫୁଲରେ
ସଖୀ ଚନ୍ଦ୍ରିକା ଚୂଳ ତା ପରେ । ୧ ।
ଚନ୍ଦନ ବିନ୍ଦୁ କପୋଳେ
ନାସାରେ ମୁକୁତା ଲୁଳେ
ହୃଦରେ ପଙ୍କଜ ମାଳେ
ସଖୀ ଦେଖି ମୋ ପାଦ ନ ଟଳେ । ୨ ।
ଗୋପସୁତ ସଙ୍ଗ ମେଳେ
ଗାବନ୍ତି ଗୀତ ସୁଢଳେ
ମୋହନ ମୁରଲୀ ସ୍ୱରେ
ବଂଶୀ ରାଧା ରାଧା କଲ୍ଲୋଳେ । ୩ ।
ଶୁଣି ଦୂତୀ ପ୍ରବୋଧିଲେ
ସଧୀରେ ନିକୁଞ୍ଜେ ଗଲେ
ବନମାଳୀ ଦାସ ବୋଲେ
ରାଧା ଶ୍ରୀ କୃଷ୍ଣ ପାଦ ସେବିଲେ । ୪ ।