(ବନମାଳୀ— ରାଗ ଲଳିତା, ତାଳ ଏକତାଳି)
ସଖୀ ଏ କି ବିଡ଼ମ୍ବନା
କାହିଁ ଯିବେ କୁଳବତୀ ନ ହାରି ଚେତନା ଗୋ । ଘୋଷା ।
ନୀପତରୁ ମୂଳେ ଯାହା ଦେଖିଲି ମୁଁ ଆଜ
ତୋ ଆଗେ କହୁଛି ଫେଡ଼ି ଛାଡ଼ି ଭୟ ଲାଜ ଗୋ । ୧ ।
ସେ କିଏ କାହା କୁମର ମୁଁ ତ ନାହିଁ ଚିହ୍ନି
ବାଇ କରାଇଲେ ଚିତ୍ତ କାହିଁକି କି ଘେନି ଗୋ । ୨ ।
ବିକି ହୋଇଗଲି ତାଙ୍କ ନୟନ ଇଙ୍ଗିତେ
କି କି ବା ନ କଲେ ମୋତେ ମୃଦୁ ବଂଶୀଗୀତେ ଗୋ । ୩ ।
ଲାବଣ୍ୟ ରସରେ ତନୁ ଗୋଟିକ ତା ଗଢ଼ା
ମୋହନ ମୂରତି ତ୍ରିଭଙ୍ଗୀରେ ଥିଲେ ଛିଡ଼ା ଗୋ । ୪ ।
ଇନ୍ଦ୍ରନୀଳମଣି ଜିଣି ତେଜ ଦାଉ ଦାଉ
ଦେଖିଲା ମାତ୍ରକେ ପାଦ ନ ଚଳିଲା ଆଉ ଗୋ । ୫ ।
ଶାଶୁଙ୍କ ଡରେ ଅତ୍ୟନ୍ତ କଷ୍ଟେ ମୁଁ ଅଇଲି
ବିଶ୍ୱାସେ ଆଜି ତୋ ଆଗେ ସ୍ୱରୂପ କହିଲି ଗୋ । ୬ ।
ବୋଲେ ବନମାଳୀ ରାଧା ବାଧା ବାଣୀ ଶୁଣି
ସେହିଟି ତୁମ୍ଭର କଣ୍ଠତଟ ରତ୍ନମଣି ଗୋ । ୭ ।