(ବନମାଳୀ— ରାଗ କୁମ୍ଭକେଦାର, ତାଳ ଯତି)
ସଖୀ ଗୋ ମୋର କୁଞ୍ଜକୁ ଆଜ
ଆସିବେ ପରା ସେ ନାଗର ରାଜ । ଘୋଷା ।
ଆଜ ତ ଏ ମୋର କେଳି ମନ୍ଦିର
ଦିଶୁଅଛି ସଖୀ କେଡ଼େ ସୁନ୍ଦର । ୧ ।
ଭାଙ୍ଗି ରଖିଅଛି ବିଡ଼ିଆ ପାନ
ଭୁଞ୍ଜିବେ ବୋଲି ମୋ ଜୀବନ ଧନ । ୨ ।
ଗୋଳି ରଖିଛି ଏ ଚନ୍ଦନ ଚୂଆ
ଲାଗି ହେବେ ମୋ ଭାବ ବିନୋଦିଆ । ୩ ।
ଗୁନ୍ଥି ରଖିଛି ଏ କୁସୁମ ମଲ୍ଲୀ
ମୋ ମନ ମୋହନ ପିନ୍ଧିବେ ବୋଲି । ୪ ।
ଆଜ ତ ଗୋଧନ ବାହୁଡ଼ା ବେଳେ
ମୋତେ ଅନାଇଁ ବିଜେ କରୁଥିଲେ । ୫ ।
ଆଜ ତ ମୋହର କେଳି ମାନସ
ଦେଖି କାନ୍ତ ହେବେ କେଡ଼େ ହରଷ । ୬ ।
ତୋତେ କି ଦିଶୁଅଛି ସଖୀ କହ
ବୋଲେ ବନମାଳୀ ନାହିଁ ସନ୍ଦେହ । ୭ ।