(ବନମାଳୀ— ରାଗ ତୋଡ଼ିପରଜ, ତାଳ ଆଡ଼ତାଳି)
ସଖୀ କି କଲା ଗୋ ମଦନ ସୁନ୍ଦର କାହ୍ନୁ
ପଙ୍କଜ କଳିରୁ ଅଳି ମନ ଭଳି
ପାଶୋର ନ ଯାଏ ମନୁ । ଘୋଷା ।
କୁଞ୍ଜେ ନେଲା ଦିନେ ଢଳାଇ ଶ୍ରୁତିରେ
ଭାରତୀ ଅମୃତ ଧାରା
ଉରରୁ ଦୁକୂଳ କାଢ଼ି ଲମ୍ବାଇଲା
ବିଦ୍ୟୁମ ମୁକତା ହାରା । ୧ ।
ମର୍କତ ପାଷାଣ ଭଦ୍ର ଭଦ୍ରାସନେ
ବିଜେ କରାଇବା ବଳେ
ଇନ୍ଦ୍ରନୀଳମଣି ବୈଡ଼ୁର୍ଯ୍ୟ ଖଚିତ
ମୁକୁଟ ବାନ୍ଧିଲା ଚୂଳେ । ୨ ।
ଅମର ବନ୍ଧନ ନୀଳାଦ୍ରି ଚନ୍ଦନ
ଟୋପା ଦେଲା କରି ଧୀରା
ପଦ୍ମରାଗ ପାତ୍ର ଗୋଟିକରେ ଭରି
ବିଞ୍ଚିଦେଲା କୋଟି ହୀରା । ୩ ।
ତୁହି କୁଞ୍ଜରାଣୀ ମୁହିଁ କୁଞ୍ଜରାଜା
ବୋଲି ବଚନ ଭାଷିଲା
କନ୍ଦର୍ପ ଶାସ୍ତ୍ରର ଚଉଷଠି ବନ୍ଧ
ବିକାଶ କରି ବସିଲା । ୪ ।
ସେ ବନ୍ଧନେ ମନ ହୋଇଣ ବନ୍ଧନ
ତା ଆନନ କରେ ଲୋଡ଼ା
ଭାଷେ ବନମାଳୀ ଶୁଣ ଗୋ ସଜନୀ
ଏ ଗୁପତ ରସ ଘୋଡ଼ା । ୫ ।