(ବନମାଳୀ— ରାଗ ମୁଖାରୀ, ତାଳ ଯତି)
ସଖୀ ରେ ଆହା କି କର୍ମ କଲି
ଦାରୁଣ ମାନ ଯା ଅର୍ଜ୍ଜି ବସିଲି । ଘୋଷା ।
ସେ ଶ୍ୟାମନାଗର ଆସି ମୋ ପାଶେ
କେତେ ବିନୟୀ ହେଲେ ନିଶି ଶେଷେ । ୧ ।
ଅନାଦର କରି ଯା ନ ଚାହିଁଲି
ରୋଷେ ଆହା କର ଛିଞ୍ଚାଡ଼ି ଦେଲି । ୨ ।
କି ନିଷ୍ଠୁର ଛାତି ଏହା ସହିଲା
ପ୍ରାଣନାଥ ବୋଲି ଦୟା ନୋହିଲା । ୩ ।
ବନମାଳୀ ବୋଲେ ସନ୍ତାପୀ ନୁହଁ
କାହାର କି ଦୋଷ ଏଥିରେ କହ । ୪ ।