(ବନମାଳୀ— ରାଗ ଦେଶାକ୍ଷ, ତାଳ ଖେମଟା)
ସଖୀ ରେ ଶ୍ୟାମବନ୍ଧୁଙ୍କୁ ଚାହିଁ
ଯୁବା ନାରୀ ଦମ୍ଭ ରଖିବେ କାହିଁ । ଘୋଷା ।
ତା ଯେଉଁ ଚାହାଣୀ ନୟନ ଠାର
ସେ କି ମାର ଶାଣଦିଆ କୁଠାର । ୧ ।
ତାର ଯେଉଁ ମନ୍ଦହାସ ଚାତୁରୀ
କୁଳବତୀ ଧୈର୍ଯ୍ୟକଟା କତୁରୀ । ୨ ।
ଆହା ତାହାର ଯେ ମୋହନ ବେଶ
ମୋତେ ତ କରଇ ଭାବେ ଆବେଶ । ୩ ।
ବୋଲେ ବନମାଳୀ ଆଗୋ ରାଧିକେ
ତୁମ୍ଭେ ସିନା ଶ୍ୟାମ ପ୍ରେମାରାଧିକେ । ୪ ।