(ଉପେନ୍ଦ୍ର ଭଞ୍ଜ— ରାଗ ମାରୁଆ, ତାଳ ରୂପକ)
ସଙ୍ଗାତ ମନା କଲି ପରା ତୋତେ ।
ନ ଅନାଅ ସୁନାବରନା ବୋଲନ୍ତେ
ଘୃଣା କଲୁ ପରା ମୋତେ । ଘୋଷା ।
ପର କି ମୁଁ ତୋର ତରକିଲୁ ଗିର
ପରଖ ଏବେ ତୁ ଚିତ୍ତେ
ତୁଚ୍ଛାକୁ ତୁ ଉଚ୍ଛା ହେବାରୁ ତୋ ଇଚ୍ଛା
ସୁଖେ ଲୁହ ପୋଛା ଏବେ । ୧ ।
ପରମାଦ ମଞ୍ଜି ପୋତିଦେଇ ଗଞ୍ଜି
ଖଞ୍ଜିଲୁ ତୁ ଆଶା ଫଳେ
ରଙ୍କୁଈକ୍ଷଣୀ ନ ଅଙ୍କୁରିଲା କ୍ଷଣି
କିମ୍ପା ତାଙ୍କ ମୁଖ ତଳେ । ୨ ।
ଘନସ୍ତନୀ ପାଞ୍ଚ କରିଥିଲୁ ଆଶା
ନ ଲାଗିବ ବୋଲି ଦୃଢ଼େ
ଚତୁରୀ ଆତୁରୀ ନ ରହେ ଚାତୁରୀ
ବଚନ କତୁରୀ ଦାଢ଼େ । ୩ ।
ଏ ଗୋପକଟକ ଟିକାକ ପାଟକ
ଜାଣି କି ଅଟକ ଥାଇ
ହଜାଇଲୁ ମତି ମଜ୍ଜାଇଲୁ ପ୍ରୀତି
ହେଜ ଉପଇନ୍ଦ୍ର କହି । ୪ ।