(ଦ୍ୱିଜ ଲୋକନାଥ)
ସଙ୍ଗାତେ ଆସ ଗୋ ଯିବା
ବସୁଦେବ ବିଭାର ଉତ୍ସବ ଦେଖିବା । ଘୋଷା ।
କେହୁ ବୋଲେ ସଜନୀ ଗୋ ଆସ ତୁରିତ
ଯାହା ହେଉଛି ଚିତ୍ତ
ଏଥୁ ମଥୁରାପୁର ଦେଖ ଶୁଭେ ଚହଳ
ନାମ ରସ କଉତୁକେ ନୃତ୍ୟ କରିବା । ୧ ।
କେ ବୋଲେ ସଜନୀ ବାଣୀ ଶୁଣ ମୋହର
ପେଷିଅଛି ଯେ ଚାର
ଦୁଷ୍ଟ କଂସ ପାପିଷ୍ଠ କରିଅଛି ଆକଟ
ଅଙ୍ଗହାର ଭୂଷଣ ଗୋ ଆସ ଘେନିବା । ୨ ।
ଆନନ୍ଦରେ ସର୍ବ ବାଳୀ ହରଷ ମନ
ଗଲେ ଯେଝା ଭୁବନ
ପିନ୍ଧି ପାଟପତନୀ ଅଳଙ୍କାର ଯେ ଘେନି
ଚାଲିବାର ଗତି ମତ୍ତ କରୀ କି ଅବା । ୩ ।
ରାଜପଥେ ରୁଣ୍ଡ ହୋଇ ବରଜବାଳୀ
ଦେଇ ସେ ହୁଳହୁଳି
ପଥେ କରି ଗମନ ସର୍ବେ ହରଷ ମନ
କେହୁ ବୋଲଇ ଦେବକୀ ଆସ ଦେଖିବା । ୪ ।
ହରଷେ ମିଳିଲେ ଯାଇ କଂସ ମନ୍ଦିରେ
ବିଭାବେଦୀର ତଳେ
କେହୁ ଯାଇ ବନ୍ଦାଇ ହୁଳହୁଳି କେ ଦେଇ
କେହୁ ଯାଇ କରି ହସ୍ତଗଣ୍ଠି ଫେଡ଼ିବା । ୫ ।
ଆନନ୍ଦରେ କେହୁ ବାଳୀ ଜୂଅ ଖେଳାଇ
ପରିହାସ କରଇ
ଲୋକନାଥ ଏ ବାଣୀ ଚିନ୍ତି ମୁରଲୀପାଣି
କିଞ୍ଚିତରେ ବାରେ ମୋତେ ଦୟା କରିବା । ୬ ।