Sangini Mada Matta Pika

ସଙ୍ଗିନୀ ମଦ ମତ୍ତ ପିକ
(Kisorachandra— Raga Jhinjoti, Tala Rupaka)
(କିଶୋରଚନ୍ଦ୍ର— ରାଗ ଝିଞ୍ଜୋଟି, ତାଳ ରୂପକ)

ସଙ୍ଗିନୀ ମଦ ମତ୍ତ ପିକ ମଞ୍ଜୁବାଣୀ ରେ । ଘୋଷା ।

ଜନମନ ବିମୋହନ ଏ ମୋହନ ଠାଣିରେ
ମୋହି ହୋଇ ନ ଯା ନାରୀବର ମଥାମଣି ରେ । ୧ ।

ମୋ କଣ୍ଠରେ ତୁ ନିବିଡ଼େ ଭିଡ଼ି ରଖ ପାଣି ରେ
ସମ୍ଭାଳି ରହ ଧଇର୍ଯ୍ୟ ଧରି ସୁନୀଳ ବେଣୀ ରେ । ୨ ।

ଦେଖ କି ମଧୁର କୃପା କଟାକ୍ଷ ଚାହାଣୀ ରେ
ଚକିତେ ଚାହିଁଲା ପରି ଗଣବଣା ଏଣୀ ରେ । ୩ ।

ପୀତ ଚିର ଫେର ମାର ବିଜୟ ନିସାଣି ରେ
ବାସବରତନ କାନ୍ତି ଧୃତି ନିଏ ଟାଣି ରେ । ୪ ।

ଜଟିଳା ଆସିବ ଜାଣି ଗଲେ ସେ ତରୁଣୀ ରେ
ଭାଷେ ହରି ଦୁଃଖେ ଭଣେ ରାଜ ବଜ୍ରପାଣି ରେ । ୫ ।