(ବନମାଳୀ— ରାଗ କାଫି, ତାଳ ଯତି)
ସଙ୍ଗିନୀରେ ଜଣେ କେହି ମୋ ସଙ୍ଗେ ଆସ ଆସ
କେଳିମନ୍ଦିରକୁ ଯିବି ନ ବଳେ ମନେ ସାହସ । ଘୋଷା ।
ମୋ ଲାଗି କୁଞ୍ଜବିହାରୀ ବସିଥିବେ ଅନୁସରି
ସବୁ ବାଧା ବିଘ୍ନ ଲଙ୍ଘି ଭେଟିବଇଁ ପାଶ । ୧ ।
ବାସକସଜ୍ଜା ସମ୍ଭାର ଯାବତ ତା ଉପଚାର
ଘେନାଇଁ ହୁଅ ବାହାର ହୋଇ ଗୋ ଉଲ୍ଲାସ । ୨ ।
ସୁବାସ ସୁମନମାଳା ମଣ୍ଡିବି ବନ୍ଧୁଙ୍କ ଗଳା
ଖଣ୍ଡିବି ଅନ୍ତରୁ ମୋର ଏ ବିଚ୍ଛେଦ ତ୍ରାସ । ୩ ।
ସେ ବୃନ୍ଦାବନ ମଦନ ଶୁଭେ କରି ଆଲିଙ୍ଗନ
ଭାଷିବେ ପ୍ରୀତି ବଚନ ବଳାଇ ଆଶ୍ୱାସ । ୪ ।
ବନମାଳୀ ଦାସ ଭଣେ ନବ ପରିଚାରୀ ପଣେ
ଅନୁଗମିବି ଗହଣେ ମିଳୁ ଅବକାଶ । ୫ ।