(ବନମାଳୀ— ରାଗ ରେଗୁପ୍ତ, ତାଳ ଖେମଟା)
ସରାଗ ତୋ ମୁଖେ ନାହିଁ ଗୋ ଶ୍ରୀମତୀ
ପରାଗ ମୁଞ୍ଚିଲା ପଙ୍କଜ ପରାୟେ
ହୋଇଅଛୁ କାହିଁ ପାଇଁ । ଘୋଷା ।
ନିନ୍ଦୁ ଘନଶ୍ୟାମ ଶୋଭାକୁ ତୁ କିମ୍ପା
ପିନ୍ଧୁଅଛୁ ନୀଳଚେଳ
ଚାରୁ ମୃଗମଦ ତିଳକ ଲାବଣ୍ୟ
ନିଟିଳେ ହୋଇଛି ମେଳ । ୧ ।
ରାଜଜେମା କ୍ଷମା ଉଚିତ ତୋହର
ଏହା ମନେ ବୁଝୁଥିବୁ
ଲଳନା ତୋ କଥା ବୁଝି ବସିଲେ ତ
ଦାଣ୍ଡରେ କଳନା ଯିବୁ । ୨ ।
ବାଞ୍ଛାବଟ ମୂଳେ ତପ କରଇ ଯେ
ଦେବାକୁ ତୋ ପାଦେ ଲାକ୍ଷା
ଅଦୋଷରେ ରୋଷ କରି ପଶ୍ଚାତ୍ତାପ
ପାଇଅଛୁ କୁଟିଳାକ୍ଷା । ୩ ।
ବନମାଳୀ ବୋଲେ ନ ଦେଖିଲେ ଯାକୁ
ନେତ୍ରୁ ଗଳେ ଅଶ୍ରୁଧାର
ଶ୍ୟାମକୁ ମାନ ନ କର ମୁଁ କହୁଛି
ଯେବେ କାମକୁ ତୋ ଡର । ୪ ।