Sarala Malasri

ସାରଳା ମାଳଶ୍ରୀ

(Sudramuni Sarala Dasa— Tripata)
(ଶୂଦ୍ରମୁନି ସାରଳା ଦାସ— ତ୍ରିପଟା)

ଆପଦ ଖଣ୍ଡନୀ ମା ଗୋ ବିପଦ ନାଶେନୀ
ଦୁଃସହ ଦୁର୍ଗତିରୁ ଫେଡ଼ କାନ୍ତାୟେନୀ
ପରମ ଯୋଗେଶ୍ୱରୀ ଗୋ ଆଦି ଯେ ଅପର୍ଣ୍ଣା
ମହାମାୟେ ମାହେଶ୍ୱରୀ ଅନାଦି ଅନ୍ନପୂର୍ଣ୍ଣା । ୧ ।

ଦୁର୍ଗତି ତାରେଣୀ ମା ଗୋ ଆପଦ ଖଣ୍ଡନୀ
ଦୁଃସହ ଦୁର୍ଗତି ନାଶି ଉଦ୍ଧର ଗୋସାମଣୀ
ବିଂଝଗିରି ବାସେନୀ ମା ଗୋ ପରଦୁଃଖେ ଦୁଃଖୀ
ଦୁର୍ଗତି ତାରେଣୀ ମା ଗୋ ଶରଦ ଚନ୍ଦ୍ରମୁଖୀ । ୨ ।

ଲୋହିତ କର୍କଶ ବଦନୀ ମା ଗୋ ଅଭୟେ ମଙ୍ଗଳା
କରୁଣା ବତ୍ସଳୀ ମା ଗୋ ତୁହି ସେ ସର୍ବ ମଙ୍ଗଳା
ଜଗତର ମାତ ଗୋ ରୁଚିତ ମାତଙ୍ଗୀ
ଜଗତ ଜନନୀ ମା ଗୋ ଭବ ବୃନ୍ଦ ସଙ୍ଗୀ । ୩ ।

ଯୋଗେ ଯୋଗେଶ୍ୱରୀ ମା ଗୋ ମହାଜ୍ଞାନ ରୂପୀ
ବ୍ୟାଘ୍ର ମୃଦ ଶାର୍ଦ୍ଦୂଳ ଚଢ଼ି ଗଗନରେ କ୍ଷେପି
ପ୍ରଫୁଲ୍ଲ ଅରବିନ୍ଦ ଚରଣ ତଳ କାନ୍ତି
ଡାକି ଡମ୍ବରୁ ମା ଗୋ ବିକସିତ ନେତ୍ରୀ । ୪ ।

ଜଳଧର ମେଦୁର ଜିଣି ଯାହାର ଅଙ୍ଗ ଭାବ
ସର୍ବଜ୍ଞ ସୁନ୍ଦେରୀ ମା ଗୋ ମୋହିନୀ ସର୍ବ ଦେବ
ତକ୍ଷଣେ ବାତୁଳ ମା ଗୋ ତକ୍ଷଣେ ଗଗନ କ୍ଷେପି
ୟେକ କାୟା ଅନ୍ତେ ମା ଗୋ ଅର୍ଦ୍ଧ କାୟା ବ୍ୟାପି । ୫ ।

ଶ୍ୟାମ ରୁଚିର ନେତ୍ରୀ ବିକସିତ ନେତ୍ରା
କାମିନୀ କାମସେଣା ଆବର ଜଗତ ମାତା
ମମ ସର୍ବ ପାପ ମା ଗୋ ମମ ଆପଦ ଖଣ୍ଡି
ସଦା ସନ୍ତତ୍ତି ଦେଉ ମା ଗୋ ମଙ୍ଗଳ ଚଣ୍ଡୀ । ୬ ।

ଦଧିବାମନ ଅନୁକୂଳ ସମସ୍ତ ଅନୁକୂଳେ
ଜଗତ୍ରୟେକ ଯାତ୍ରା ମା ଗୋ ତୁହି ସର୍ବମଙ୍ଗଳେ
ତବ ପଦ୍ମ ପାଦେ ଯେ ବିନୟେ ଭଗତି
ଜୟ ଜୟ ଦୁର୍ଗା ମା ଗୋ ଅନ୍ନପୂର୍ଣ୍ଣା ପାର୍ବତୀ । ୭ ।

କରନ୍ତି ରଣେ ଯେ ବିନୟେ ଦୟିନି
ବଦନ୍ତି ସାରଳା ଦାସ କବି ଶୂଦ୍ରମୁନି । ୮ ।