(କବିସୂର୍ଯ୍ୟ— ରାଗ କେଦାର, ତାଳ ଆଡ଼ତାଳି)
ସରି ଗଲା ଯେ ଲାଜେ
ରହି ନ ପାରେ ସହୀ ସମାଜେ । ଘୋଷା ।
ନଗତିଳକ ଉରୋଜାଏ ଅଛନ୍ତି
ଅଗଣିତେ ଅନୁସରି ହେ
ଜଗତୀ ଲଲାମ ଚମ୍ପାଝରା ନାମ
ଯୋଗ୍ୟ କି ଏକା କିଶୋରୀ ହେ । ୧ ।
ଘେନାଇ କହିଲେ ହେଲେ ନେତ୍ରାଞ୍ଚଳେ
ଅନାଇ ତ ସେ ନ ଜାଣୈ ହେ
ତାକୁ ନଟ ଖଞ୍ଜରୀଟ ନେତ୍ରା ବୋଲି
ଡାକୁଥାଅ ତୁମ୍ଭେ କେଣେ ହେ । ୨ ।
ତୁମ୍ଭ ଉରେ ସ୍ତନ କୁମ୍ଭ ନତ ତନୁ
ଲତା ଯେ ମଣ୍ଡାଏ ନାହିଁ ହେ
ବହିଯିବ ବୋଲି ଶୋଭା ପୀୟୂଷ କି
ରହିଥାଅ ଏକା ଚାହିଁ ହେ । ୩ ।
ତାରୁଣ୍ୟ ଗରବେ ବାଳା ସେ ତ କେବେ
ଚାଲିକି ନ କରେ ଚାରୁ ହେ
ସଡ଼ୁଅଛି କେଳି ଲାଳସୀ ମରାଳୀ
ଗତି ବୋଲି ଡାକିବାରୁ ହେ । ୪ ।
ଅଧର ମାଧୁରୀ ଅଭିମାନେ ପୂରି
କେତେ ନାଗରୀ ନାହାନ୍ତି ହେ
ତା ଦଶନ ଅଙ୍କ ଥିବା ପାନ ରଙ୍କ
ପରି ମାଗିବାର ନିତି ହେ । ୫ ।
ପ୍ରେମାଦରେ ଅବା ପ୍ରମାଦରେ ବାଣୀ
ଶୁଣିବା ଚିତ୍ତ କାହିଁକି ହେ
ସରସ ଶ୍ଳେଷ ମଦ କଳକୋକିଳ
ବଚନା ବୋଲି ନାହିଁକି ହେ । ୬ ।
ଜଗଦ୍ଦେବ ବନ୍ଦି ଜଣାଇଲେ ଇନ୍ଦୀ
-ବର ଶ୍ୟାମ ବଂଶୀପାଣି ହେ
ତୁମ୍ଭେ ସେ ତରୁଣୀ ଚାଲିବା ସରଣୀ
ପରାଗେ ଗଡ଼ିବା ଜାଣି ହେ । ୭ ।