(କବିଚନ୍ଦ୍ର କାଳୀଚରଣ— ରାଗ ମୁଖାରୀ, ତାଳ ଯତି)
ସରିଗଲି ଲାଜେ ସଜନୀ
ସଜାଡ଼ି କୁସୁମ ଶେଯ ଜଗି ସାରା ରଜନୀ । ଘୋଷା ।
କଣ୍ଟ ଦେଇ ବେଣୁଧର
ରହିଲେ ଗୋ କାହା ପୁର
ଚାହିଁ ବସିଥିଲି ପଥ ସାଜି ତନୁ ନ ଜାଣି । ୧ ।
ଶଶୀ ଆସି ଗଲା ଫେରି
ମଳୟ ହେଲା ଭଗାରି
ନୟନୁ ଯମୁନା ବାରି ବହିଲା ଗୋ ଉଜାଣି । ୨ ।
ଶ୍ୟାମ ସୋହାଗିନୀ ବୋଲି
ବରଜେ ଯା ଶୁଣିଥିଲି
ମନର ଗରବ ମୋର ମନ ତଳେ ମଲାଣି । ୩ ।
କବିଚନ୍ଦ୍ର କହେ ରାଇ
ଭାବର ନାଗର ସେହି
ବିରହ ବିନା ମିଳନ ସୁଖ କି ରାଇମଣି । ୪ ।
Sarigali Laje Sajani