(କବିସୂର୍ଯ୍ୟ— ରାଗ ଚକ୍ରକେଳି, ତାଳ ଯତି)
ସଙ୍ଗାତ ରେ, ସରିଗଲି ଲାଜେ ଆଜ
କରି ବିଲୋକନ କାଲି କେହି ଘନ
ଶ୍ୟାମ ମୁଖ ଦ୍ୱିଜରାଜ । ଘୋଷା ।
ସେ ଶୋଭା ଉଦିତ ସମ୍ଭୋଗରେ ଚିତ୍ତ
ପୁରା ନ ଥିବାରୁ ମୋର
ରଜନୀ ରଥାଙ୍ଗୀ ଭଙ୍ଗୀ ସିନା ଅଙ୍ଗୀ
-କାର କରେ ନିରନ୍ତର ରେ । ୧ ।
ନୀଳ ସୁଧାସିନ୍ଧୁ ପରି ତ ମୋ ବନ୍ଧୁ
ଦିଶୁଥାନ୍ତି ଗୋଟିଯାକ
କେବଳ ଅଧର ଚୁମ୍ବିବାରୁ ମୋର
ନ ରହଇ ତ ବିବେକ ରେ । ୨ ।
ମୁଁ ରତିଭବନ ଭିତରେ ମୋହନ
ମୂରତିକି ଯତ୍ନେ ଲେଖି
ଚୁମ୍ବୁଥିଲି ରଙ୍କ ପରି ହରିଣାଙ୍କ
ତୁଲ୍ୟ ମୁଖେ ବୁଜି ଆଖି ରେ । ୩ ।
ମୋହିତ ହେବାକୁ ସେ ସୁଖ ଅମଳେ
ନୋହିଥିଲି ସାବଧାନ
କେହି ଆସି ଶ୍ୟାମ ଚୁମ୍ବିଲେ ଚରମ
ଦେଶେ ରହି ମୋ ବଦନ ରେ । ୪ ।
ଲେଖାରେ ହେଲେ ତ ଲେଖାମାନଙ୍କରେ
ଲେଖାରେ ନୋହି ସେ ଠାଣି
ଝଟ କରି ଅବା ଲିଭାଇ ଦିଅନ୍ତି
ଅଟକି ରହିଲା ପାଣି ରେ । ୫ ।
ଯାହା ହେଲା ମୋର ବାହାର ଭିତର
ମନ୍ଦାକ୍ଷ ଭୟରେ ପୂରି
ଅଷ୍ଟଦୁର୍ଗ ହରିହୟ ବୋଲେ ଚୋରି
ଧରା ପଡ଼ିଗଲା ପରି । ୬ ।