(ବେଣୁଧର— ରାଗ ଖମ୍ବାଜ, ତାଳ ଯତି)
ସତେ କି ଭଙ୍ଗୀ କଲା
ସେ ଯା ବାଙ୍କେ ଚାହିଁଲା
ମନମୋହନିଆ ନବଘନ ଛଇଳା । ଘୋଷା ।
କି କହିବି ମିତଣୀ ଗଲି ମୁଁ ନୀର ଆଣି
ସେ ଶ୍ୟାମ ବେଣୁପାଣି ହୋଇ ତ୍ରିଭଙ୍ଗୀ ଠାଣି
ତା କଟାକ୍ଷ ଚାହାଣୀ କାମ କଟାରୀ ଆଣି
ମର୍ମ୍ମେ ମାଇଲା । ୧ ।
ସେ କେଡ଼େ କଉତୁକୀ ଅଟନ୍ତି କି ରେ ସଖି
ଇଚ୍ଛାରେ ତାଙ୍କୁଟି କି ଚିତ୍ତକୁ ଦେଲି ବିକି
ବାଙ୍କଚୂଳକୁ ଦେଖି ଏ ମୋର ବେନି ଆଖି
ଲାଖି ରହିଲା । ୨ ।
ମୋ ନାମ ଧରି ହରି ବାଇହେଲେ ବାଂଶରୀ
ଦମ୍ଭ ଧଇର୍ଯ୍ୟ ସାରି ବସିଲେ ସହଚରୀ
ପାମର ହରଅରି ତାପରେ ହେଲି ଘାରି
କି ମନ୍ତ୍ର କଲା । ୩ ।
ଆହା ସେ ଶ୍ୟାମ ମୂର୍ତ୍ତି ଦେଖି କେଉଁ ଯୁବତୀ
ହେଲେ ପତିବରତୀ ନ ଭୁଲିବ କେ ଦୂତୀ
ବେଣୁଧର ବଦତି ସେ ମୋହନ ମୂରତି
ମୂର୍ଚ୍ଛି ନୋହିଲା । ୪ ।