(ଶ୍ୟାମକିଶୋର— ରାଗ ବଙ୍ଗଳାଶ୍ରୀ, ତାଳ ଯତି)
ସତେ କି କେତକୀ ଗୋରୀ ଥିବ ଜୀବ ଧରିରେ
ରତେ କି ମୋତେ ତୋଷିବ ବାରେ ବିମ୍ବାଧରୀ । ଘୋଷା ।
ମଦନ ଶରେ ମୋ ଧନ ହୋଇଣ ବିରସରେ
କଦନ ରମଣୀମଣି ଲୋଟିବଣି ରସାରେ
ବଦନ ପୋତି ତେଜୁଥିବ ଶ୍ୱାସ
ରଦନ ଛଦେ ନ ଥିବ ସେ ହାସ
ଅଶନ ମଣୁଥିବ ସେ ଯେ ବିଷ
ସଦନ ହିଁ ହେବ କାରା ସଦୃଶ । ୧ ।
କରମରେ ମୋର ଏହା ଥିଲା ସିନା ବିହିରେ
ଭରମରେ ତା ଅନ୍ୟଥା ନ କଲା ତ ବିହିରେ
ହର ମନମୋହିନୀ ଆରେ ସହି
ଭରମ ଅଙ୍ଗୀ ମୋର ବିନୁ କେହି
ପରମ ସୁନ୍ଦରୀ ବଞ୍ଚିବ ତହିଁ
ଦରମରା ହୋଇଥିବ ଯେ ରହି । ୨ ।
ନୀରଜ ନୟନୁଁ ନୀର ନିରନ୍ତରେ ବହିରେ
ଜରଜର ହୋଉଥିବ ଉରଜ ତା ବହିରେ
ଗରଜନରେ ପିକ ଭୃଙ୍ଗ ତତି
ତରଜନା ଦେଉଥିବେ ଯେ ଅତି
ବରଜ ନାଗରୀବର ଯେ ନିତି
କରଜରେ ଚିରୁଥିବ ସେ କ୍ଷିତି । ୩ ।
ହରାଇ ଦେଲା ସପନ ସୁନ୍ଦର ବଦନୀରେ
ନୁହଇ ଏବେ ନିଶ୍ଚୟେ ସହି ଏ ବେଦନାରେ
ବହଇ ମନ୍ଦରେ ମଧୁ ପବନ
ଦହଇ ବିରହୀ ଜନ ଜୀବନ
ଶୋହଇ ପୁଷ୍ପେ ଉପବନ ମାଳ
କହଇ ଶ୍ୟାମକିଶୋର ଏସନ । ୪ ।