(କବିସୂର୍ଯ୍ୟ— ରାଗ କାନଡ଼ା, ତାଳ ଏକତାଳି)
ସେ ଗଜେନ୍ଦ୍ର ଗତି ମୋତେ ପ୍ରତି ଦିଶେ ଦିଶିଲା । ଘୋଷା ।
ଏ ଜଗତେ ଭାବ ଯେତେ ନ ରହିଲା ମୋର ଚିତ୍ତେ
ଯେଣିକି ଚାହିଁଲେ ସେ ତ ତାହା ପରି ଦିଶିଲା । ୧ ।
ସହଜେ କାନ୍ତିରେ ତୋରା ଧଇଲେ ନ ଦିଏ ଧରା
ମାର ମାରଗଣ ଗାଢ଼େ ମରମରେ କଷିଲା । ୨ ।
ମୁଁ ତାହାର ପ୍ରୀତି କିଣା ହେବାରୁ ଅଧିକେ ବଣା
ମୃଗାକ୍ଷୀର ବିନା ଆନେ ମନ ମୋ ନ ରସିଲା । ୩ ।
ଅତି ଯତ୍ନ କରି ବଳେ ଶୟନ କରିବା କାଳେ
କ୍ଷଣେ ହେଲେ ନିଦ୍ରା ମୋ ଈକ୍ଷଣକୁ ନ ଦିଶିଲା । ୪ ।
ବୋଲେ ଅଷ୍ଟଦୁର୍ଗେଶ୍ୱର ତା ପାଶୁ ହେବାରୁ ଦୂର
ଦିନକୁ ଦିନ ମଦନ ଜୀବନକୁ ଶୋଷିଲା । ୫ ।