(କବିସୂର୍ଯ୍ୟ— ରାଗ ମାଳବ)
ସେ ମୋହନ ସ୍ନେହରେ
ସହଚରୀ କି ପଦାର୍ଥ କହରେ । ଘୋଷା ।
ନୋହେ ଅଭୟ ନ ରଖଇ ଦକ
ଅମଳ ନୋହେ ଅତି ଉନ୍ମାଦକ
ହୋଇ ହୃଦୟ ଅଦୃଶ୍ୟ ପଦକ
ହଜାଇ ଦିଅଇ ବିବେକଯାକ । ୧ ।
ନୋହେ ଘୂକନେତ୍ର ଗୋଳ କଜ୍ଜ୍ୱଳ
ଦୃଶ୍ୟ କରାଏ ଗାଢ଼ତମ ସ୍ଥଳ
ଲଙ୍ଘାଏ ଦୁର୍ଗ ନୋହେ ଜଙ୍ଘାବଳ
ବୁଡ଼ାଇ ଦିଅଇ ନୁହଇ ଜଳ । ୨ ।
ନୁହଇ ପରାଣ ନୁହଇ ଛାଡ଼ି
ଅଟକଇ ପଦ ନୁହଇ ବେଡ଼ି
ବୃଷ୍ଟି ବାରଣ ଛତ୍ରକୁ ନ ଲୋଡ଼ି
ନ ମାନେ ନଭମାସନିଶା ଝଡ଼ି । ୩ ।
ନୋହେ ସଙ୍କଳପ ମାନସେ ରହେ
ହେଳା ନୋହେ ଯତ୍ନ ନ ରଖେ ଦେହେ
ଅନ୍ନ ନୋହି ଶୀର୍ଣ୍ଣ କରେ ବିରହେ
ସନ୍ଦେହେ ଶ୍ରୀ ମୁକୁନ୍ଦଦେବ କହେ । ୪ ।