(ଗୋପାଳକୃଷ୍ଣ— ରାଗ ମୋହନା, ତାଳ ରୂପକ)
ସ୍ମରେ ଦେଇ ବନ୍ଧୁ ନ ଯା ରେ
ରହ ଜିତେନ୍ଦ୍ରିୟ ଚିତ୍ତ ହଜା ରେ । ଘୋଷା ।
ଗର୍ଭାଳସୀ ହଂସୀ ଗମନା
ପୁରାତନୁ ମନ କାମନା
ପୂର୍ଣ୍ଣ ହେବ ବୋଲି ସୁମନା
ଜଗିଛି ପଥ ମୃଣାଳ ଭୁଜା ରେ । ୧ ।
କରେ ଗଣ୍ଡ କରି ଆଚ୍ଛନ୍ନ
ଧନ ନୁହ ରେ ଛନ୍ନଛନ୍ନ
ଟେକି ମୁଖ ମୃଗ ଲାଞ୍ଛନ
ମୋ ମନ କରାଇ ଦିଅ ଓଜା ରେ । ୨ ।
ସରଣୀ ନ ଭାଙ୍ଗି ବରଜ
ଲୁଆଇଁ ବଦନ ନୀରଜ
ଦରାଧର ଭିଡ଼ା ବରଜ
ଅନା ଥରେ ହସି ବିନା ଲଜ୍ଜାରେ । ୩ ।
ଭାଷ ଗିର ଆନ ଧରନା
ପର ବୋଲି ମୋତେ ଡରନା
କମ୍ପାନା ତୁ ଶମ୍ପାବରନା
ଲଭିଛି ତୋ ଭେଟ ହର ପୂଜାରେ । ୪ ।
ଗୋପାଳକୃଷ୍ଣରେ ଦୂତୀକି
କହିବା ଶୁଭୁଛି ଶ୍ରୁତିକି
ଗଲେ ତ ନ ରହୁ କତିକି
ଅସୂୟା କାହିଁକି ଦୟା ମଜ୍ଜାରେ । ୫ ।