(କବିସୂର୍ଯ୍ୟ— ରାଗ ମୁଖାରୀ, ତାଳ ତ୍ରିପଟା)
ଶ୍ରୀ ହରି ହେ ରଜନୀ ପାହିଲା
ଶତପତ୍ର ବନରୁ ପବନ ମନ୍ଦ ମନ୍ଦ ବହିଲା
ଶମନ ଭଗିନୀର ନୀରଜାଙ୍ଘ୍ରି ନୂପୁର
ପରିପୂରିତ ମନୋରଥ ରଥାଙ୍ଗ ସ୍ୱର
ଶଶିକର ଶୀକର ନିକର ଅସ୍ତଧର
ବରଚୂଳକୁ ମାତ୍ର ଚାହିଁଲା । ଘୋଷା ।
ଶ୍ରମ ସିନ୍ଧୁ ମଧ୍ୟେ କେ ସାହସ ତରୀ ବାହିଲା
ଶଙ୍କା ଲେଶ ହେଲେ ଦିବ୍ୟ ଚିତ୍ତକୁ ନ ପାଇଲା । ୧ ।
ଶମ୍ଭୁ ପରିପନ୍ଥୀ ତୂଣେ କେତେ ବାଣ ବହିଲା
ଶୃଙ୍ଗାର ଶାସ୍ତ୍ରକୁ ନିଶି ସମୟ ନ ସହିଲା । ୨ ।
ଶାବକ ମୃଗାକ୍ଷୀ କେତେ ଜନ୍ମ ତପେ ଦାହିଲା
ଶମ୍ବାୟୁଧ ମଣି ଶ୍ୟାମ ତନୁ ମନ ମୋହିଲା । ୩ ।
ଶରଦିନ୍ଦୁ ସୁଧାସୂତନାଳକୁ କି ବହିଲା
ଶ୍ରବଅବତଂସ କଳହଂସ ଧ୍ୱନି ନୋହିଲା । ୪ ।
ଶମ୍ବରାରି ସଉଚିକ ଏ ଭୀତିକି ବହିଲା
ଶର ସୂଚୀରେ ଶରୀର ଯୁଗ ଗାଢ଼େ ସିଇଁଲା । ୫ ।
ଶୂର କବିକର ପଦକଞ୍ଜ ତଳେ କହିଲା
ଶେଷ ଆଜ ନିଶାକୁ ରହିଲେ ପଛେ ରହିଲା । ୬ ।