(ବନମାଳୀ— ରାଗ ଭୈରବୀ, ତାଳ ଯତି)
ସୁଖ ଲୋଡ଼ି ଦୁଃଖରେ ଜଡ଼ିଲି ଗୋ
ନାଗର ରାଜଙ୍କୁ ଚାହିଁ ।
ମୋହ ପାପ ଆଖି ମୋତେ କଲା ଦୁଃଖୀ
କାହାକୁ କହିବି ସହୀ । ଘୋଷା ।
କି ସୁଖରେ ଥିଲି ଜାଣି ମୁଁ ନ ଥିଲି
ଅନାଇଁ ଦେଲେ ପ୍ରମାଦ
ଦେଖି ଛାଡ଼ି ନୋହେ ଛାଡ଼ିଲେ ବିଦେହେ
ଚଳେ ଲୋକ ଅପବାଦ । ୧ ।
ନୟନ ଯୁଗଳୁଁ ଜାଣିବାରେ ଜଳ
ବହି ନ ଥିଲା ମୋହର
ଏବେ ସେ କଜ୍ଜ୍ୱଳ ସହିତରେ ବୋଳ
ବହି ହେଲା ହୃଦ ହାର । ୨ ।
ନିରତରେ ଜର କରି ଜରଜର
ସ୍ୱେଦରେ ହୋଇଲା ତନୁ
ରଜନୀ ବାସର ହୋଇଲା ଅସର
ନିମିଷେ ନ ଯାଏ ମନୁ । ୩ ।
ବନମାଳୀ ଭଣି ଆଗୋ ଠାକୁରାଣୀ
ଶିରୋମଣି ଶୁଣ ଶୁଣ
ନେତ୍ରରଟି ବଶ ହୋଇଗଲେ ନାଶ
କରଇ ଉତ୍ତମ ଗୁଣ । ୪ ।