(ଯଶୋବନ୍ତ)
ସୁମନ ଆରେ ମୋ ବୋଲ କର
ସୁସଙ୍ଗେ ସୁପଥେ ଯାଆରେ
ଅଗାଧ ଜଳ ନ ପାଇ ଥଳ
ହରି ନାମ ମୁଖେ ଗାଆରେ । ଘୋଷା ।
ସୁମନ ପଟାକୁ କୁମନ କଣ୍ଟା
ବିନ୍ଧି ଜଗତୀକୁ ଯାଆରେ
ହେତୁ କେଉଟ ମଙ୍ଗକୁ ଆଣ୍ଟ
ଆଗ ପଛ କରି ବାହାରେ । ୧ ।
ଦିଗୁଣା ମାରି ଚାରି ଅନ୍ଧାରି
ଆଠ ଆଖଡ଼ାକୁ ଚାହାଂରେ
ଯମ ଯେମନ୍ତେ ଯିବ ପରତେ
ଯିବା ଆସିବାର ଚାହାଂରେ । ୨ ।
ଷଡ଼ ଅଇରି ବିନାଶ କରି
ନିଜ ବଣିଜରେ ଥାଆରେ
ସାଧୁ ସଙ୍ଗତେ ବେଭାର ଯେବେ
ମୂଳ ରଖି ଲାଭ ଖାଆରେ । ୩ ।
ନ କର ହେଳା ବୁଡ଼ିବ ଭେଳା
ବହିବଟି ବଡ଼ ବାଆରେ
ଯଶୋବନ୍ତ ଦାସ ସେ ପଦେ ଶରଣ
ନୋହିବେଟି କେହି ସାହାରେ । ୪ ।