(କବିସୂର୍ଯ୍ୟ— ରାଗ ବିହାଗଡ଼ା, ତାଳ ଝୁଲା)
ସୁନାଗୋରୀ ତୁ ଏକା ସିନା
ସୁନାଗରୀ ଶିର ଫୁଲ ବାସନା । ଘୋଷା ।
ଏ ଜଗତୀ ଭିତରେ କେହି
ଗଜଗତି ତୋ ସମ ନାହିଁ
ରାଜା ନାରୀମଣ୍ଡଳେ ତୁହି
ସୁନ୍ଦର କୁନ୍ଦ ରଦନ ହସନା । ୧ ।
ପଦ ନଖ କୋଣ କଣକୁ
ରସବତୀ ମଣିପଣକୁ
ସାଧାରଣେତର ଗୁଣକୁ
ବରନି ପାରିବେ ନାହିଁ ଉଶନା । ୨ ।
ଗିରିବର ଶିଖରେ ତପ
କରିଥିଲି କେତେ କଳପ
ବାଳାବର ମୋତେ ଅଳପ
ସୁଲଭ ହୋଇଛି ତୋ ଉପାସନା । ୩ ।
ପୟୋଧରେ ହାର ନଚାଇ
ମୋ ସୁକୃତ ଫଳ ପଚାଇ
ମାରାଶୁଗ ଡର ଘୁଞ୍ଚାଇ
ବଜାଇ ଦେବୁ କି ଥରେ ରସନା । ୪ ।
ବାଲୁକେଶ ନୃପତିମଣି
ଭଣେ ଶ୍ୟାମ ଭାରତୀ ଶୁଣି
ଲାଜେ ହସି ବର ତରୁଣୀ
ହେଲେ ମୁଖ ବିନିହିତ ବସନା । ୫ ।