(ବନମାଳୀ— ରାଗ ବଙ୍ଗଳାଶ୍ରୀ, ତାଳ ଝୁଲା)
ଶ୍ୟାମ ଦୋଷ ଦେଖି ମନରେ ସଖୀ ମୁଁ
ବିଚାର କରିଥାଇ
ଚାହିଁ ଦେଲେ ଅଣାୟତ୍ତ ହୁଏ ମନ ରେ । ଘୋଷା ।
ଦୂରୁ ନେତ୍ର ଭୂରୁ ଘୋଡ଼ାଇ ଗଲେ
ବଳେ ମୋ ଦୃଷ୍ଟି ପଡ଼େ ଯାଇଁ
ରୁନ୍ଧିଥାଇ କଣ୍ଠ ନ କହିବି କିଛି
କଥା ବଳେ ବାହାରଇ । ୧ ।
କାହୁଁ ମୋ ପାପ ବଦନେ ସ୍ମିତ ଜାତ
ହୁଅଇ ତେତିକି ବେଳେ
କରକଶ ଚିତ୍ତ କଲେ ଚାହିଁ ମିତ
ଦରବି ଯାଇ ମୁଁ ବଳେ । ୨ ।
ଅଭିମାନ ଧରି ରହିଥିବି ସଦା
ଏ ବିଚାର ଥିଲେ ହେଲେ
କୋଳାଇ ନେବାକୁ ମନ ବଳେ କେଣେ
ଅକସ୍ମାତେ ଦେଖିଦେଲେ । ୩ ।
କି କହିବି ଦୁଷ୍ଟ ଚିତ୍ତ ମୋର ହେଲା
ବେଳକୁ ବେଳ ଚଞ୍ଚଳ
ବନମାଳୀ ଇଚ୍ଛା ବହିଥିବି ଏହି
ଜନ ପିନ୍ଧିବା ଅଞ୍ଚଳ । ୪ ।