(ବନମାଳୀ— ରାଗ କୁସୁମ କେଦାର, ତାଳ ଝୁଲା)
ଶ୍ୟାମ ଜାଣେ ମୋହିନୀ ବୁଟୀ
ସହି ତା ନଜରେ ନ ପଡ଼ିବୁଟି
ରଙ୍ଗିଆ ଭଙ୍ଗିଆ ସୁବଳସଙ୍ଗିଆ
ଚନ୍ଦ୍ରା ମନ ଧନ ନେଇଛି ଲୁଟି । ଘୋଷା ।
ଏ ଗୋପରେ ଯେତେ ତରୁଣୀ
ଦମ୍ଭେ କେ ବା ରହିବ ପୁଣି
ଶ୍ରବଣେ ତାହାର ଶୁଣି ବଂଶୀ ସ୍ୱର
କଦମ୍ବ ମୂଳକୁ ଯିବ ଧପଟି । ୧ ।
ତାର ଯେଉଁ ଚାହାଣୀ ଛଟା
ମଦନର କାଣ୍ଡିଆ ଅଠା
ତୋର ଆଖି ପକ୍ଷୀ ତହିଁ ଗଲେ ଲାଖି
ଉବୁରିବୁ କେବେ ମନ୍ଦାର ଓଠୀ । ୨ ।
ଦେଖିଲେ ତା ଠିଆ ଠାଣିକି
ରଖି ନ ପାରିବୁ ଆଣିକି
ଅଖିଳ ନାଗର ମଉଡ଼ମଣି ସେ
ଯେତେବେଳେ ଯିବ ତୋ ଆଗେ ଜୁଟି । ୩ ।
ସୁରସିଆ ଦରହସିଆ
କୁଳବତୀ ଧୃତି ଧ୍ୱଂସିଆ
ଜାଣି ବୁଝି ଧନୀ ପାହୁଣ୍ଡ ଚାଳିବୁ
ସଖୀ ଗହଳେ ଲୁଚିଥିବୁଟି । ୪ ।
ବିଚିତ୍ର ତା ଛଇ ଚାତୁରୀ
ସତୀ ଦମ୍ଭ ଦିଏ କତୁରୀ
କହେ ବନମାଳୀ ତୁ ରାଜ ଦୁଲାଳୀ
ଉଠି ନ ପାରିବୁ ପଡ଼ିଲେ ଝୁଣ୍ଟି । ୫ ।