(ବନମାଳୀ— ରାଗ ନଟଭୈରବୀ, ତାଳ ଯତି)
ଶ୍ୟାମ ଜାତି ମହତ ଦେଲା ଧ୍ୱଂସି ତ । ଘୋଷା ।
କି ଭଙ୍ଗୀରେ ହୁଏ ଛିଡ଼ା ନ ରଖେ ଆଖି ପିଛଡ଼ା
କୁଳବତୀ ବ୍ରୀଡ଼ାଛଡ଼ା ଛାଡ଼ି ଆସି ତ । ୧ ।
ସ୍ୱର୍ଗେ ନ ଥିବେ ସୁଧାରେ ନ ଦିଶଇ ବସୁଧାରେ
ବହେ ଯା ପୀୟୂଷ ଧାରେ ଭାଷିତ । ୨ ।
କାମ ଛୁରୀ ଚାହିଁବାର ହୃଦେ ପଶେ ବାରବାର
ଥରେ ଅନାଇଲେ ବାରମାସୀ ତ । ୩ ।
ଲାଞ୍ଚ ଦେବି ଦେବତାରେ କେ ବୋଲିବ ସେବ ତାରେ
ନାହିଁ ମୁଁ ଜହ୍ନୁ ସୁତାରେ ଭାସି ତ । ୪ ।
କହେ ବନମାଳୀ ସାର ବ୍ରଜନରେନ୍ଦ୍ର କୁମାର
ଶ୍ରୀଅଙ୍ଗକୁ ଛାର ମାର ଭର୍ତ୍ସିତ । ୫ ।