(କବିସୂର୍ଯ୍ୟ— ରାଗ ବିଲାହାରୀ, ତାଳ ଖେମଟା)
ଶ୍ୟାମ କେଡ଼େ ଅବୁଝାଣ ଗୋ
ତା ଲାଗି ଯିବ ଏ ପରାଣ ଗୋ । ଘୋଷା ।
ଚୋରପଣେ ଆସି ମୋର ପାଶେ ବସି
ଘୋର ଆଚରଇ ଟାଣ ଗୋ
ସ୍ମର ମରଦଇ ତା ବଚନ ପାଇ
ବିଷମ ଶର ପଠାଣ ଗୋ । ୧ ।
ପଚାଇ ଦେବାକୁ ଅଭିଳାଷ ଫଳ
ନଚାଇ ଭୂରୁ କମାଣ ଗୋ
ଫଟାଇ ଦିଅଇ ଧୃତିକି ପ୍ରହାରି
କଟାକ୍ଷ କପଟବାଣ ଗୋ । ୨ ।
ଗୋଟିଏ ଗୋଟିଏ ଅଳପ କଥାକୁ
କୋଟିଏ ପକାଏ ରାଣ ଗୋ
ସରେ ସେହି ଅବସରେ ସବୁ ସହି
କରେ ଯେଡ଼େ ହଇରାଣ ଗୋ । ୩ ।
ଜମି ରହେ ମନ ତା ଭଙ୍ଗୀରେ କାହିଁ
ନ ମିଳଇ ପରିତ୍ରାଣ ଗୋ
ଲାଜ ବିହଙ୍ଗକୁ ଝାମ୍ପଇ ତା ଶୋଭା
ଦମ୍ଭ ଚପଳ ସଞ୍ଚାଣ ଗୋ । ୪ ।
ଜଣାଇଲେ ସଖୀ ଧୂର୍ତ୍ତ ସେ ଭୁଜଙ୍ଗ
-ପଟା ନାଟୁଆ ପ୍ରମାଣ ଗୋ
ଜଗଦ୍ଦେବ କହେ ତା ସ୍ନେହ ବିରହେ
ପବିପାତ ଭଲ ଜାଣ ଗୋ । ୫ ।