(ବନମାଳୀ— ରାଗ ରସକାମୋଦୀ, ତାଳ ଆଡ଼ତାଳି)
ଶ୍ୟାମ ନାଗର ହେ ଏ ବେଶ ହୋଇବ ନାହିଁ
ଏ ବେଶ ହୋଇଲେ ପାଷାଣ ତରଳେ
ଯୁବତୀ ବଞ୍ଚିବେ କାହିଁ । ଘୋଷା ।
ଉଭା ହୋଇଥିବ କଦମ୍ବର ମୂଳେ
ନଟବର ବେଶ ହୋଇ
ଘେନିଥିବ ଯେବେ ମୋହନ ମୁରଲୀ
ଅଧରେ ଚୁମ୍ବିବ ନାହିଁ । ୧ ।
ପିନ୍ଧିଥିବ ଯେବେ ପୀତାମ୍ବର ତୁମ୍ଭେ
ଭୂମିରେ ଲୋଟିବ ନାହିଁ
ହସୁଥିବ ଯେବେ ମୃଦୁ ମୃଦୁ ହୋଇ
ତେରଛେ ଚାହିଁବ ନାହିଁ । ୨ ।
ଘେନିଥିବ ଯେବେ ଚନ୍ଦନର ବିନ୍ଦୁ
ଗୋରଚନା ଥିବ ନାହିଁ
ବାନ୍ଧିଥିବ ଯେବେ ତ୍ରିଭଙ୍ଗିମା ଚୂଳ
ଚନ୍ଦ୍ରିକା ଖୋଷିବ ନାହିଁ । ୩ ।
ଯେତେ ବେଶ ତୋତେ ମନା କଲି ଶ୍ୟାମ
ତେତେ ବେଶ ହେଲୁ ତୁହି
ବୋଲେ ବନମାଳୀ ଶୁଣ ଗୋ ରାଧିକେ
ଏ ବେଶ ତୁମ୍ଭରି ପାଇଁ । ୪ ।