(ବନମାଳୀ— ରାଗ କାମୋଦୀ, ତାଳ ତ୍ରିପଟା)
ଶ୍ୟାମ ଶ୍ରୀଅଙ୍ଗେ ନେତ୍ର ପଡ଼ିଲା ରେ
ପଡ଼ି ବିବେକ ଜ୍ଞାନ ବୁଡ଼ିଲା ରେ । ଘୋଷା ।
କି ଶୋଭା ସେ ମୋହନ ମୂରତି ନବଘନ
ମନ ତା ସଙ୍ଗ ପ୍ରୀତି ଲୋଡ଼ିଲା ରେ
ଚନ୍ଦ୍ରିକା ମୁକୁଟିଆ ହଟ ନଟକୂଟିଆ
ଛବିକି କେ ବିନ୍ଧାଣୀ ଗଢ଼ିଲା ରେ । ୧ ।
ଜୀବନ ଯଉବନ ଜାତି ଧୃତି ଗୁମାନ
ସବୁ ତା ପାଦ ତଳେ ପଡ଼ିଲା ରେ
କି ଘର ବର ଛାର କିବା ବନ୍ଧୁ ସୋଦର
ପତିବରତ ମୂଳ ତାଡ଼ିଲା ରେ । ୨ ।
ଗୁରୁ ଗୁରୁଜନଙ୍କ ଗୁରୁ ଧରମଯାକ
ଚାରୁ ମୁରଲୀ ସ୍ୱନେ ଏଡ଼ିଲା ରେ
ସରୁ କଟି ସୁଠାଣି ବାଙ୍କ ବାଙ୍କ ଚାହାଣୀ
ଶାୟକ ମୁନ ହୃଦେ ବୁଡ଼ିଲା ରେ । ୩ ।
ବୃନ୍ଦାବନ ମଦନ ସୁଖାନନ୍ଦ ସଦନ
ରୂପ କାନ୍ତିରେ ମତି ଜଡ଼ିଲା ରେ
କହଇ ବନମାଳୀ ଏ ରସେ ଭାଳି ଭାଳି
ଗୋପୀଙ୍କ ପ୍ରେମନଦୀ ବଢ଼ିଲା ରେ । ୪ ।