(ବନମାଳୀ— ରାଗ ଶଙ୍କରାଭରଣ, ତାଳ ଯତି)
ଶ୍ୟାମ ସୁନ୍ଦର ଶ୍ରୀମୁଖକୁ ଅନାଇଁ
କୁଳ ଧରମ ହୋଇ ରହିଲା ନାହିଁ । ଘୋଷା ।
ସ୍ତମ୍ଭନ ମୋହନ ବଶ୍ୟ ଉଚ୍ଚାଟ
ମୂରତି ନିଶ୍ଚେ ଅଟେ ଏ ନନ୍ଦଚାଟ ।୧।
ବୋଲୁଥାନ୍ତି ତାଙ୍କୁ ବଡ଼ ସୁନ୍ଦର
ଅଳପ ଚାହିଁଲେ ବୁଡ଼ଇ ଘର ।୨।
କେ କହେ ସୁନ୍ଦର ରତିବରକୁ
ତା କଥା ନ ଆସେ ମୋ ନଜରକୁ ।୩।
ଅଶ୍ୱିନୀକୁମାରକୁ ସୁକୁମାର
ଯେ ବୋଲନ୍ତି ତାଙ୍କ ବୁଦ୍ଧି ଗୁଆଁର ।୪।
କେଉଁ ଅଙ୍ଗଦେଶ କାହାର ଶୋଭା
ମୋହନ ତରଙ୍ଗ ନୟନ ଲୋଭା ।୫।
ଏତେ ସୁନ୍ଦର ନ ଦେଖେ ସୃଷ୍ଟିରେ
ଯେ ଅଛନ୍ତି ଲେଖି ପଶୁ ଗୋଷ୍ଠୀରେ ।୬।
ବନମାଳୀ ଜନ୍ମ ହେଲା ବିଫଳ
ଦିନେ ନ ଚିନ୍ତିଲା ବ୍ରଜମଙ୍ଗଳ ।୭।