(ଗୋପାଳକୃଷ୍ଣ— ରାଗ କାଫି, ତାଳ ରୂପକ)
ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର ମା
ସେ କରୁ ଗୋ ସେ ପୀରତି ଯା ଦେହ ଲୁହାର ମା । ଘୋଷା ।
ଶୁଣିଛି ପ୍ରସଙ୍ଗରେ ଚନ୍ଦ୍ରାବଳୀର ସଙ୍ଗରେ
ନାଗରା ବାଜୁଛି ବ୍ରଜଯାକରେ ଯାହାର ମା । ୧ ।
ମଥୁରାକୁ ଦଧି ବିକି ପଥେ ଗଲା ଗୁଆଳୀକି
ଶେଯେ ଶୁଆଉଛି ସେ ଗୋବର୍ଦ୍ଧନ ଗୁହାର ମା । ୨ ।
ପଡ଼ିଲେ କା ଆଗରେ ବୁଡ଼ିବି ଦୁଃଖ ସାଗରେ
ପ୍ରାଣ ଧରି ଚାହିଁବି ମୁଁ ମୁଖକୁ କାହାର ମା । ୩ ।
କଳିନ୍ଦଜା କୂଳରେ ଚାହିଁଲି ନୀପ ମୂଳରେ
ପଳାଇ ଆସିଲି ଠାରି ଜାଗୁଥିଲେ ଦ୍ୱାର ମା । ୪ ।
ଗୋପାଳକୃଷ୍ଣ ଭାଷେ ସ୍ୱାମିନୀ ତୁମ୍ଭ ପାଇଁ ସେ
ବ୍ରଜବିଧୁ ହୋଇଛନ୍ତି ସୁରଭି ମାହାର ମା । ୫ ।