(ଶ୍ରୀଚନ୍ଦନ)
ଶୁଣ ଗୋ ସଜନୀ ତବ ବିନେ ଶ୍ୟାମସୁନ୍ଦର
ନ ରୁଚଇ ସୁଖଭୋଗ ବାସ ବନ କନ୍ଦର । ଘୋଷା ।
ତେଜି ପଲଙ୍କ ସୁପାତି ବିରସେ ଲୁଟଇ କ୍ଷିତି
ନିରବଧି ସ୍ମରଶର ଦହେ ତାର ଅନ୍ତର । ୧ ।
ରାସରସ ଦେଖି ତାର ଯେମନ୍ତେ ଆତୁରତର
ଗତରାତି ରୀତି ଚିନ୍ତି ମତି ଅତି କାତର । ୨ ।
ବସି ଯମୁନା ତୀରେ ଦରଶନ ଲାଳସରେ
ମୁରଲୀରେ ଗାଏ ତବ ନାମ କରି ମନ୍ତର । ୩ ।
ବନପ୍ରିୟର ସୁଗିର ତା ସଙ୍ଗେ ଭୃଙ୍ଗ ଝଙ୍କାର
ଶୁଣନ୍ତେ ବିରସ ମଣି ସ୍ମରେ କୁମ୍ଭ କୁମର । ୪ ।
ରଞ୍ଚି କିଶଳୟ ତଳ୍ପ ନିମିଷକ କୋଟି କଳ୍ପ
ସମ ମଣି ସରସିଜ ପତ୍ରେ କରେ ସଞ୍ଚାର । ୫ ।
ଶ୍ରୀଚନ୍ଦନ ବୋଲେ ଧୀର ନାୟକ ଅତି ଅଧୀର
ଗୁଣ ଗୁଣି ନ ସରଇ ତାର ନିଶି ବାସର । ୬ ।