(କବିସୂର୍ଯ୍ୟ— ରାଗ ଝିଞ୍ଜୋଟି, ତାଳ ଆଦିତାଳ)
ତମାଳ ନୀଳ ତନୁ
ତାପ ନ ଯାଏ ମୋ ସଖୀ ମନୁଁ ହେ । ଘୋଷା ।
ତରଣୀଜା ତଟ ବନୁ ତୁମ୍ଭଙ୍କୁ ଶ୍ରୀହରି
ଖୋଜି ଖୋଜି ହରିଣାକ୍ଷୀ ଫେରିଯିବା ଦିନୁ । ୧ ।
ତରଳରେ ନୟନୁ ତେଜୁଅଛି ନିରନ୍ତରେ
ନୀରଧାର ବରଷିଲା ପରି ଘନୁ । ୨ ।
ତୀକ୍ଷଣ ବାଣ ଅତନୁ ତାମରସ ମୁଖୀ
ମରମକୁ ଯୋଖି ବିନ୍ଧେ ଫୁଲଧନୁ । ୩ ।
ତାପ ଦିଏ ହିମଭାନୁ ତନୁରେ ଫୋଟକା
ହେଉଅଛି ଏକା ଘନସାର ବିଲେପନୁ । ୪ ।
ତୁମ୍ଭ ଅବଲୋକନୁ ଭାଷେ ଜଗଦ୍ଦେବ ତାର
ପ୍ରାଣ ଯିବ ଶ୍ରୀଅଙ୍ଗଟି ହେଲା ତନୂ । ୫ ।