Tana Pana Kara Sara

ଟାଣ ପଣ କର ସାର
(Kabisurjya— Raga Bajrakanti, Tala Jati)
(କବିସୂର୍ଯ୍ୟ— ରାଗ ବଜ୍ରକାନ୍ତି, ତାଳ ଯତି)

Ṭa Patala — Kisorachandrananda Champu
ଟ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ଟାଣ ପଣ କର ସାର ହେ ମୋହନ
ଟାଣ ପଣ କର ସାର
ଟିକାଏ ମଦନ କଦନକୁ ସହୀ
ସଦନକୁ ବିଜେ କର । ଘୋଷା ।

ଟଙ୍କାରି କି ଶ୍ରବସରିକି ବାସବ
କୋଦଣ୍ଡରୁ ଚଣ୍ଡ ଧନୁ
ଟାଣେ ବିନ୍ଧେ ଶମ୍ବ ସଦୃଶ କଳମ୍ବ
ତୁମ୍ଭଙ୍କୁ ଏକା ଅତନୁ ହେ । ୧ ।

ଟେକି ଏ ସୁନ୍ଦର ଶ୍ରୀମୁଖଟି ପର
ଘରବୁଡ଼ା ଫରମାସ
ଟିକାଏ ହେଲେ ଯେ ହୃଦୟ ସରୋଜେ
ନୋହିଲା ତ୍ରାସବିଳାସ ହେ । ୨ ।

ଟେକାଟେକି ମୋତେ କରି ନାନା ମତେ
ତୁମ୍ଭ କାମନା ପୁରିବ
ଟାଣଖୁଣ୍ଟା ଗୁରୁଜନ ଗଞ୍ଜନାରୁ
ମୋ ପ୍ରାଣସଖି ସରିବ ହେ । ୩ ।

ଟପା ଥିବା ଚାର ବଚନୁ ଗୋଚର
ଯେତେ ସମାଚାର ଗୋପେ
ଟିପିଦେଲେ କଂସ ଆଗେ କେ ନୃଶଂସ
ନନ୍ଦ ବନ୍ଦୀ ହେବେ ଟୋପେ ହେ । ୪ ।

ଟାକିଛି ସୁଧାଂଶୁ କଳାକୁ ଆକାଶୁଁ
କରିବାକୁ ପାଣିଗତ
ଟିକାୟିତ ଅଷ୍ଟଦୁର୍ଗର କହଇ ଶ୍ୟାମ
ଏ କି ଆଚରିତ ହେ । ୫ ।