(ଗୌରଚରଣ— ଖେମଟା)
ତାଙ୍କୁ କିଏ ବୋଲୁଥାଇ ଗୋ ପରମ ଦୟାଳୁ ହରି
କାହିଁ ଦେଖିଅଛ ମାମୁକୁ ଭଣଜା
ଜୀବନେ ପକାଏ ମାରି । ଘୋଷା ।
କାକ କୋଳେ ପିକ ପାଳିଲା ପରାୟେ
ସେବିଥିଲେ ଗୋପନାରୀ
ପୋଷନ୍ତା କାଳକୁ ଛାଡ଼ି ପଳାଇଲେ
ରହିଲେ ମଥୁରାପୁରୀ । ୧ ।
ବିଭା ଲୋଭେ ଶିଶୁପାଳ ବୀର ଆସି
ଥିଲା ବରବେଶ ଧରି
ଚଣ୍ଡୀ ପୁରୁ ଭଣ୍ଡି କନ୍ୟା ଘେନିଗଲେ
ଲାଜରେ ସେ ଗଲା ଫେରି । ୨ ।
ରାମ ଅଭିରାମ ରୂପ ଦେଖି କାମ
ଲୋଭେ ଶୂର୍ପଣଖା ନାରୀ
ଆସିଥିଲା ଆଶା କରି ତାର ନାସା
କାଟି କଲେ ହତଶିରୀ । ୩ ।
ବୈଲୋଚନ ବୋଲି ଏକ ବୀର ଥିଲା
ହେଲେ ତାର ମନୋହାରୀ
କୂଟ କରି ଚୁଟି ଓପାଡ଼ି ତାହାକୁ
କେଶକାଟ ଦେଖି ମାରି । ୪ ।
କାନନ ମଧ୍ୟରୁ ଜନକ ସୁତାକୁ
ରାବଣ ଯେ ନେଲା ହରି
ବିନା ଦୋଷେ ସିନ୍ଧୁ ବାନ୍ଧି ପକାଇଲେ
ବାଳୀକି ବିନାଶ କରି । ୫ ।
ବଳୀ ମନ୍ଦିରକୁ ଛଳି ବିଜେ କଲେ
ବାମନ ମୂରତି ଧରି
ଭିକାରୀ ହୋଇଣ ଧିକ୍କାରି ଚାପିଲେ
ରଖିଲେ ପାତାଳ ପୁରୀ । ୬ ।
ଜଳନ୍ଧର ବୀର ଶାଳକ ତାଙ୍କର
ଭାବେ ରହି ତାର ପୁରୀ
ହରି ତା ସତୀକି ପୁଣି ତା ପତିକି
ହର କରେ ବଧ କରି । ୭ ।
ପାଣ୍ଡବେ ତାଙ୍କର ସୁହୃଦ ବାନ୍ଧବ
ଜାଣନ୍ତି ଏ ତିନି ପୁରୀ
ଭୀମ ସୁତ ବେଲାବଳୀକି ମାଇଲେ
କେଉଁ ଅବିଗୁଣ ଧରି । ୮ ।
ପୁତ୍ର ହତ ଶୁଣି ଗୁରୁ ଦ୍ରୋଣ ପୁଣି
ପଡ଼ିଥିଲେ ଜ୍ଞାନ ହାରି
ମାର ବୋଲି ଧୃଷ୍ଟଦ୍ୟୁମନଙ୍କୁ ପରା
ଦେଖି ଦେଲେ ଆଖି ଠାରି । ୯ ।
ରାସମଣ୍ଡଳରୁ ବ୍ରଜଦେବୀଙ୍କି ଯେ
ଘେନି ଗଲେ ଭୁଜ ଧରି
ଏକା କରି ଗିରିଟେକା ଛାଡ଼ି ଗଲେ
କନ୍ଧରୁ ପକାଇ କରି । ୧୦ ।
ଶୁକ୍ରଠାରେ ବକ୍ର ହୋଇ କୁଶମୁନ
ଭୂଷି ଦେଲେ ସ୍ଥିର କରି
ବ୍ରାହ୍ମଣକୁ କଣା କଲେ କାହିଁପାଇଁ
କେଉଁ ଅବିଗୁଣ ଧରି । ୧୧ ।
ଯେଉଁ ଗୋରୁହତ୍ୟା ଈଶ୍ୱରେ ଲାଗିଲା
ଗଲେ କୈଳାସୁଁ ବାହାରି
କଉତୁକେ ଷଣ୍ଢାସୁରକୁ ମାଇଲେ
ପାପ ପୁଣ୍ୟ ନ ବିଚାରି । ୧୩ ।
ଆମ୍ଭେ ଗୋପୀମାନେ ଯମୁନାରେ ଦିନେ
କରୁଥିଲୁଁ ଜଳକେଳି
ବସନ ଚୋରାଇ ବୃକ୍ଷରେ ବାନ୍ଧିଲେ
ମହତ ନେଲେ ଆମ୍ଭରି । ୧୪ ।
ଗଉରଚରଣ ବୋଲେ ଗୋପୀଗଣ
ହରିଙ୍କି ନିନ୍ଦା ନ କରି
ଜଗତଯାକର ପ୍ରଭୁ ସେ ଅଟନ୍ତି
ମହା ମହିମା ତାଙ୍କରି । ୧୫ ।